ସଂସଦରେ ଉଠିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ସଂସଦରେ ସ୍ବର ଉଠାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ ଏବଂ ମହିଳାଙ୍କୁ ରାଜନୈତିକ ଅଧିକାର ଦେବାରେ ବିଜୁବାବୁ ସାରା ଦେଶ ପାଇଁ ଆଦର୍ଶ । ଯେଉଁଥି ପାଇଁ ଗତ ତିନି ଦଶନ୍ଧି ଧରି ରାଜ୍ୟ ସରକାର ତାଙ୍କ ଜନ୍ମ ତାରିଖ ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରିବା ସହ ଏହି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ମାର୍ଚ୍ଚ ୫କୁ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହଠାତ ସରକାର ଛୁଟି ବାତିଲ କରିବା ସହ ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସଂସଦରେ ଆପତ୍ତି ଉଠାଇଛି ବିଜେଡି । ସେହିଭଳି ମହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ମଧ୍ୟ କଡା ନିନ୍ଦା କରିଛି ବିଜେଡି । ପୂର୍ବ ଭଳି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ସହ ଏହି ଦିନକୁ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ଦେବାଶିଷ ।