ଆଜି ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ, ନିରାଡ଼ମ୍ବର ଭାବେ ପାଳନ କରୁଛି ବିଜେଡି

ଭୁବନେଶ୍ୱର: ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ। କୋଟି କୋଟି ଓଡିଆଙ୍କ ଜାତିପ୍ରାଣ । ମହାନ ରାଷ୍ଟ୍ରନୀତିଜ୍ଞ, କଳିଙ୍ଗର ସ୍ବର୍ଣ୍ଣାଭ ସ୍ବାକ୍ଷର ବିଜୁ ବାବୁ। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଇହଲୀଳା ତ୍ୟାଗକୁ ପୂରିଛି ୨୭ ବର୍ଷ। ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ। ଏହି ଅବସରରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ତିଳ ତର୍ପଣ ପ୍ରଦାନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଦଳର କର୍ମୀ ମାନେ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସକାଳୁ ସକାଳୁ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତା ଓ କର୍ମୀମାନେ ସଂକଳ୍ପ ନେଇଛନ୍ତି। ଆଗାମୀ ଦିନରେ ଦଳରେ ଶୃଙ୍ଖଳିତ ହୋଇ ନିସ୍ବାର୍ଥପର ଭାବରେ ବିକଶିତ ଏବଂ ସ୍ବାଭିମାନୀ ଓଡିଶା ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି। ଏହାଛଡ଼ା ବିଭିନ୍ନ ସ୍ଥାନରେ ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଛି।
ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଓ ଶିଳ୍ପପତି ଥିଲେ। ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।