ନିରାଡ଼ମ୍ବର ଭାବେ ପାଳିତ ହେବ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଭୁବନେଶ୍ୱର: ଆସନ୍ତା  ୧୭ ତାରିଖରେ ପାଳନ ହେବ ବିଜୁ ବାବୁଙ୍କୁ ତିରୋଧାନ ଦିବସ । ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦୀ ରାଜନେତା ତଥା ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୬ତମ ତିରୋଧାନ ଦିବସ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳିତ ହେବ ।

ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହା ସହିତ ବିଜୁ ବାବୁଙ୍କ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ତରଫରୁ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି  । ବିଜୁବାବୁଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ଵାଭିମାନର ସୁରକ୍ଷା ପଥର ପୁରୋଧା ଥିଲେ  ।