ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ଘରୋଇକରଣ, ରାଜ୍ୟ ସରକାର ଚାହିଁଲେ ନେଇପାରିବେ ଦାୟିତ୍ୱ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ଘରୋଇକରଣ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ, ପରିଚାଳନା ଏବଂ ମ୍ୟାନେଜମେଣ୍ଟ ଘରୋଇ କମ୍ପାନୀ ହାତରେ ରହିବ । ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ସିଂହଙ୍କ ପ୍ରଶ୍ନର ଉତ୍ତରରେ ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ. ସିଂହ ଏହି ତଥ୍ୟ ରଖିଛନ୍ତି । ୨୦୦୮ରେ ଗ୍ରୀନଫିଲ୍ଡ଼ ବିମାନବନ୍ଦର ନୀତି ଅନୁସାର ସରକାରୀ ବା ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦରର ସାମଗ୍ରୀକ ବିକାଶ ପାଇଁ ନିଷ୍ପତି ହୋଇଥିଲା ।

ରାଜ୍ୟ ସରକାର ମଧ୍ୟ ଚାହିଁଲେ ବିମାନବନ୍ଦରର ବିକାଶ ଦାୟିତ୍ବ ମଧ୍ୟ ସମ୍ଭାଳିପାରିବେ ବୋଲି ନୂଆ ନୀତିରେ ସ୍ପଷ୍ଟ ଅଛି । ୨୦୦୬ ମସିହାରେ ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦର ପିପିପି ମୋଡ଼ରେ ବିକାଶ କରାଯାଇଛି । ସେପ୍ଟେମ୍ବର ୫, ୨୦୧୯ରେ ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ୧୯୦ତମ ବୈଠକରେ ଭୁବନେଶ୍ବର, ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ବିମାନବନ୍ଦରର ପରିଚାଳନା ଦାୟିତ୍ବ ପିପିପି ମୋଡ଼ରେ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିମାନବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସହ ଅନ୍ତର୍ଜାତୀୟସ୍ତରର ଯାତ୍ରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେବାକୁ ବିଜେଡି ଦାବି କରିଛି ।

Leave a Reply