୨୪ ବର୍ଷ ବୟସରେ ବିଜେଡି: ଆଞ୍ଚଳିକ ଦଳ ରାଜନୀତି ପାଇଁ ସଫଳ ଉଦାହରଣ

1 min read

ଭାରତରେ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ । ଏହି ବ୍ୟବସ୍ଥାରେ ଜାତୀୟ ଦଳ ଓ ପ୍ରାନ୍ତୀୟ ଦଳ, ସ୍ୱାଧୀନତା ପରଠାରୁ ନିର୍ବାଚନରେ ଅଂଶଗ୍ରହଣ ଜାରି ରଖିଛନ୍ତି । କେତେକ ଦଳ ଦେଶ ଓ ରାଜ୍ୟ ରାଜନୀତିରେ ସଫଳ ହୋଇଥିବା ବେଳେ, ଅନ୍ୟ କେତେକ ରାଜନୈତିକ ଦଳ ବିଫଳ ହେବା ଦେଖାଯାଇଛି । କେତେକ ନୂଆ ଦଳ ମଧ୍ୟ ଜନ୍ମ ହୋଇ ସଫଳ ଓ ବିଫଳ ହୋଇଛନ୍ତି । ଦେଶରେ ଯେଉଁସବୁ ଆଞ୍ଚଳିକ ବା ପ୍ରାନ୍ତୀୟ ରାଜନୈତିକ ଦଳ ରହିଛି, ସେଥିରୁ ବିଜୁ ଜନତା ଦଳ ବା ବିଜେଡି ଅନ୍ୟତମ । ୨୬ ଡିିସେମ୍ବର ୧୯୯୭ ମସିହାରେ ପ୍ରତିଷ୍ଠିତ, ଓଡ଼ିଶାର ଏହି ଆଞ୍ଚଳିକ ଦଳ, ଆଜି ୨୪ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛି । ବିଜୁ ଜନତା ଦଳର ବିଶେଷତ୍ୱ ହେଲା, ଏହି ଦଳ ଜନ୍ମ ନେବା ପରଠାରୁ କେବେବି ନିର୍ବାଚନୀ ପରାଜୟର ସମ୍ମୁଖୀନ ହୋଇନାହିଁ । ଡିିସେମ୍ବର ୧୯୯୭ରେ ପ୍ରତିଷ୍ଠିତ ଏହି ଦଳ, ୧୯୯୮ ଓ ୧୯୯୯ ଲୋକସଭା ଆସନରେ ବିଜେପି ସହ ମେଣ୍ଟ କରି ୧୯୯୮ରେ ୯ଟି ଓ ୧୯୯୯ରେ ୧୦ଟି ଲୋକସଭା ଆସନରେ ବିଜୟୀ ହୋଇ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେଲା । ଏହାପରେ ୨୦୦୦ ମସିହା ବିଧାନସଭା ନିର୍ବାଚନଠାରୁ ଆଜିଯାଏ ବିଜେଡିି ଓଡ଼ିଶା ଶାସନ ନେତୃତ୍ୱ ନେଇଆସୁଛି । ଦଳର ସଭାପତି ନବୀନ ବାବୁଙ୍କୁ ଓଡ଼ିଶା ଲୋକେ ୨୦୦୦ ମସିହାରୁ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ପାଇଁ ଜନାଦେଶ ଦେଇ ଆସୁଛନ୍ତି । ୧୯୯୮-୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମଧ୍ୟରେ ରହିଥିବା ମେଣ୍ଟ ଭାଙ୍ଗିଗଲା ପରେ ବି ବିଜେଡିି ବିଧାନସଭା ଓ ଲୋକସଭାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଅଛି ।
ଓଡ଼ିଶାର ଇତିହାସ ଦେଖିଲେ ଜଣାଯାଏ ଯେ, ଓଡ଼ିଶା ହେଉଛି ଆଞ୍ଚଳିକ ଦଳମାନଙ୍କର ଏକ ଏନ୍ତୁଡ଼ିଶାଳ । ସ୍ୱାଧୀନତା ପରବର୍ତ୍ତୀ ୧୯୫୧-୫୨ର ପ୍ରଥମ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ଆଞ୍ଚଳିକ ଦଳ, ‘ଗଣତନ୍ତ୍ର ପରିଷଦ’ ୩୧ଟି ବିଧାନସଭା ଆସନ ଲାଭ କରିଥିଲା । ସେହିପରି ୧୯୬୭ ବିଧାନସଭା ନିର୍ବାଚନରେ ଡଃ ହରେକୃଷ୍ଣ ମହତାବଙ୍କର ଆଞ୍ଚଳିକ ଦଳ ‘ଜନ କଂଗ୍ରେସ’ ଓ ୧୯୭୧ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ଦ୍ୱାରା ଗଠିତ ‘ଉତ୍କଳ କଂଗ୍ରେସ’ ଯଥାକ୍ରମେ ୨୬ ଓ ୩୩ଟି ବିଧାନସଭା ଆସନ ଜିତିଥିଲା । ୧୯୭୪ ବିଧାନସଭା ନିର୍ବାଚନ, ଓଡ଼ିଶା ଅଞ୍ଚଳିକ ଦଳମାନଙ୍କ ପାଇଁ ଶେଷ ପ୍ରଭାବଶାଳୀ ନିର୍ବାଚନ ଥିଲା । ଏହିସବୁ ଆଞ୍ଚଳିକ ଦଳମାନଙ୍କର ବିଶେଷତ୍ୱ ଥିଲା, ଏମାନେ ସମସ୍ତେ କଂଗ୍ରେସ-ବିରୋଧୀ ଆଞ୍ଚଳିକ ଦଳ । ୧୯୭୭ ମସିହାରେ ସବୁ ଆଞ୍ଚଳିକ ଦଳ ଏକାଠି ହୋଇ ‘ଜନତା ପାର୍ଟି’ରେ ବିଧାନସଭା ନିର୍ବାଚନ ଲଢ଼ିି ୧୧୦ଟି ବିଧାନସଭା ଆସନ ପାଇ ରାଜ୍ୟରେ ସରକାର କରିପାରିଥିଲେ । ୧୯୫୨ରୁ ୧୯୭୭ ମଧ୍ୟରେ, ଏମାନେ ଏକାକୀ ସରକାର କରିବା ପାଇଁ ଜନାଦେଶ ପାଇପାରି ନଥିଲେ । ଏହାପରେ ୧୯୮୦, ୧୯୮୫ ଓ ୧୯୯୫ ବିଧାନସଭା ନିର୍ବାଚନରେ କଂଗ୍ରେସର ଓଡ଼ିଶାରେ ନିର୍ଣ୍ଣାୟକ ବିଜୟ ତଥା ୧୯୯୦ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଜନତା ଦଳର ବିଜୟ, ରାଜ୍ୟରେ ଆଞ୍ଚଳିକ ଦଳର ବାତାବରଣକୁ ନଷ୍ଟ କରି ଜାତୀୟ ଦଳର ଆଧିପାତ୍ୟ ବିସ୍ତାର କଲା । ଏହି ସମୟକାଳରେ ଜାନକୀ ବାବୁ ଜାତୀୟ ଦଳ, କଂଗ୍ରେସର ନେତୃତ୍ୱ ନେବାବେଳେ, ବିଜୁବାବୁ ଜାତୀୟ ଅଣକଂଗ୍ରେସ ଶକ୍ତିର ନେତୃତ୍ୱ ନେଉଥିଲେ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁବାବୁଙ୍କ ଦେହାନ୍ତ ପରେ, ରାଜ୍ୟରେ କଂଗ୍ରେସ-ବିରୋଧୀ ମଞ୍ଚର ନେତୃତ୍ୱ କ୍ଷେତ୍ରରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ସେତେବେଳେ କେନ୍ଦ୍ରରେ ଜନତା ଦଳର ଦୁର୍ବଳ ନେତୃତ୍ୱ ଥିଲା । ଠିକ୍ ଏହି ସମୟରେ ବିଜୁ ଜନତା ଦଳର ଗଠନ ଓ ନବୀନ ବାବୁଙ୍କ ଆବିର୍ଭାବ ରାଜ୍ୟ ରାଜନୀତିରେ ଅଣକଂଗ୍ରେସ ନେତୃତ୍ୱର ଶୂନ୍ୟସ୍ଥାନକୁ ପୂରଣ କଲା । ଲୋକେ ନବୀନ ବାବୁଙ୍କୁ, ଅଣକଂଗ୍ରେସ ନେତା ହିସାବରେ ଗ୍ରହଣ କରି ପରୀକ୍ଷା କଲେ । ଏହି ସମୟରେ ରାଜ୍ୟରେ କମ୍ ସ୍ଥିତିରେ ଥିବା ବିଜେପି, ବିଜେଡି ସହିତ ମିଶି ଅଣକଂଗ୍ରେସ ମଞ୍ଚରୁ ନିଜର ରାଜନୈତିକ ଶକ୍ତି ବଢାଇବା ପାଇଁ ଲକ୍ଷ୍ୟ ରଖି ବିଜେଡ଼ି ସହିତ ମେଣ୍ଟ କଲା ଓ ନିର୍ବାଚନ ସଫଳତା ପାଇଲା । ୧୯୯୮, ୧୯୯୯ ଲୋକସଭା ନିର୍ବାଚନ ତଥା ୨୦୦୦, ୨୦୦୪ ବିଧାନସଭା ନିର୍ବାଚନ, ରାଜ୍ୟରେ ନବୀନ ବାବୁଙ୍କୁ ଅଣ କଂଗ୍ରେସ ନେତା ହିସାବରେ ପ୍ରତିଷ୍ଠିତ କଲା । ତେଣୁ ୨୦୦୯ ନିର୍ବାଚନରେ ଯେତେବେଳେ ବିଜେଡିି, ବିଜେପି ଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଲା, ସେତେବେଳେ ଲୋକେ ବିଜେଡିକୁ ଅଣ କଂଗ୍ରେସ ଶକ୍ତି ହିସାବରେ ଜନାଦେଶ ଦେଇ, ବିଜେପିକୁ ଗୌଣ କରିଦେଲେ । ତେବେ ୨୦୦୯ ନିର୍ବାଚନରେ ବିଜେଡି-କମ୍ୟୁନିଷ୍ଟ ସହ ମେଣ୍ଟ କରିଥିଲା ଓ ବିଜେପି-ବିଜେଡିି ଫାଟରୁ ବିଜେପିର ବିପୁଳ କ୍ଷତି ହେବାବେଳେ କଂଗ୍ରେସ ଲାଭ କରିଥିଲା । ୨୦୧୪ରେ ବିଜେଡିି ଏକୁଟିଆ ନିର୍ବାଚନ ଲଢ଼ି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ଲୋକସଭା ଓ ବିଧାନସଭାରେ ଅଧିକ ପ୍ରତିଷ୍ଠିତ ହେଲା । ୨୦୧୪ ବେଳକୁ, ବିଜେଡି, ଅଣକଂଗ୍ରେସ ଶକ୍ତିର ଉତ୍ସ ଓ ଆଞ୍ଚଳିକବାଦ ସହିତ ‘ୱେଲ୍‌ଫେୟାରିଜିମ୍‌’କୁ ଦଳର ନୀତି ସହ ଯୋଡ଼ି ସାରିଥିଲା । ରାଜ୍ୟ ସରକାରଙ୍କର ୨ ଟଙ୍କିଆ ଚାଉଳ ଯୋଜନା ବିଜେଡିିର ‘ୱେଲ୍‌ଫେୟାରିଜିମ୍‌’ର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋଇ ସାରିଥିଲା ।
୨୦୧୯ ବିଧାନସଭା ନିର୍ବାଚନ, ବିଜେଡ଼ି ପାଇଁ ଏକ ଚ୍ୟାଲେଞ୍ଜ ଥିଲା କାରଣ ସେତେବେଳେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ହାୱା ଦେଶରେ ବହୁଥିଲା । କିନ୍ତୁ ଏହି ସମୟରେ ବିଜେଡ଼ି, ‘ସମଦୂରତ୍ୱ-ତତ୍ତ୍ୱ’ କଥା କହି କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତ୍ୱ ରଖି ରାଜ୍ୟରେ ତୃତୀୟ ବିକଳ୍ପ ଶକ୍ତିର ଭୂମିକା ଉପସ୍ଥାପନା କରିଦେଲା । ୨୦୦୯ରେ ୟୁପିଏ ଓ ୨୦୧୪ରେ କେନ୍ଦ୍ରରେ ଏନ୍‌ଡିଏ ସରକାରରେ ବିଜେଡ଼ି ଅଂଶଗ୍ରହଣ ନ କରିଥିବାରୁ ଲୋକେ ବିଜେଡ଼ିର ସମଦୂରତ୍ୱ ତତ୍ତ୍ୱକୁ ବିଶ୍ୱାସ କଲେ । ତେଣୁ ୨୦୧୯ ନିର୍ବାଚନରେ ଲୋକେ ଆଶ୍ଚର୍ଯ୍ୟଜନକ ଭାବେ ‘ବିଭାଜିତ-ଭୋଟଦାନ’ କଲେ । ରାଜ୍ୟର ଲୋକେ ବିଜେଡ଼ିକୁ ଅଧିକ ପ୍ରତିଶତ ଭୋଟ ଓ ଆସନରେ ବିଧାନସଭା ନିର୍ବାଚନରେ ଜିତାଇ, ବିଜେପିକୁ ୮ଟି ଲୋକସଭା ଆସନ ଦେଲେ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଉଲ୍ଲେଖ କରି କହିଲେ ଯେ, ଓଡ଼ିଶା ଲୋକେ ରାଜନୈତିକ ପରିପକ୍ୱ ହୋଇଥିବାରୁ ରାଜ୍ୟ ଶାସନ ପାଇଁ ନବୀନ ବାବୁଙ୍କୁ ଭୋଟ ଦେଇ ବିଜେପିକୁ କେନ୍ଦ୍ର ଶାସନ ପାଇଁ ଭୋଟ ଦେଲେ । ଏହାର ଅର୍ଥ ହେଲା ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ଶାସନ ପାଇଁ ନବୀନ ବାବୁଙ୍କ ଲୋକପ୍ରିୟତାକୁ ସ୍ୱୀକାର କଲେ । ଏହା ସହିତ ବିଜେଡିି ଓ ଏନ୍‌.ସି.ପି. ୨ଟି ଶୃଙ୍ଖଳିତ ଦଳ ବୋଲି ସାଂସଦରେ କହିଲେ । ରାଜନୈତିକ ପରିପକ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ସାର୍ଟିିିଫିକେଟ୍ ନବୀନ ବାବୁଙ୍କର ଦଳ ପରିଚାଳନା ଦକ୍ଷତାକୁ ସ୍ୱୀକୃତି ଦେଲା । ଯେଉଁ ୨ଟି ଆଞ୍ଚଳିକ ଦଳକୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଲେ, ସେଥିରୁ ବିଜେଡ଼ି ହିଁ ଏକମାତ୍ର ଦଳ ଯିଏକି ୨୦୦୦ ମସିହାରୁ କ୍ରମାଗତଭାବେ ଲୋକଙ୍କ ବିଶ୍ୱାସଭାଜନ ହୋଇ ଆସୁଅଛି । ତେଣୁ ବିଜେଡିି, ଦେଶର ୧ ନମ୍ବର ଆଞ୍ଚଳିକ ଦଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଭାରତରେ ବିଭିନ୍ନ ଆଞ୍ଚଳିକ ଦଳ ଥିବାବେଳେ, ବିଜେଡିିର ଏତେମାତ୍ରାରେ ସଫଳତାର କାରଣ କ’ଣ ହୋଇପାରେ? କେତେକ ଆଞ୍ଚଳିକ ଦଳ, ଜାତି, ଧର୍ମ, ଗୋଷ୍ଠୀ, ଉଗ୍ର ଆଞ୍ଚଳିକବାଦର ରାଜନୀତି କରୁଥିବା ବେଳେ, ବିଜେଡି ଏକ ନୂଆ ବିଚାରଧାରାର ରାଜନୀତି କରୁଛି ଓ ଏହି ରାଜନୈତିକ ବିଚାରଧାରାରେ ସମୟଯୋଗୀ ପରିବର୍ତ୍ତନ ଆଣୁଛି, ଯେପରି ୟୁରୋପୀୟ ରାଷ୍ଟ୍ରର ରାଜନୈତିକ ଦଳମାନେ ସେମାନଙ୍କ ବିଚାରଧାରାରେ ସମୟ ଉପଯୋଗୀ ପରିବର୍ତ୍ତନ ଆଣୁଛନ୍ତି । ପ୍ରଥମେ ବିଜେଡି, ଅଣକଂଗ୍ରେସ ଆଞ୍ଚଳିକ ଦଳ ହିସାବରେ ପ୍ରତିଷ୍ଠିତ ହେଲା । ପରେ ଏହା ଅଣକଂଗ୍ରେସ ଓ ଅଣବିଜେପି, ଆଞ୍ଚଳିକ ଦଳ ଆଦର୍ଶକୁ ରୂପାନ୍ତରିତ ହେଲା । ଏହା ସହିତ ବିଜେଡିି, ‘ଅର୍ଥନୀତିଭିତ୍ତିକ ଓ ଲିଙ୍ଗଭିତ୍ତିକ ସାମାଜିକ ନ୍ୟାୟ’ ଉପରେ ‘ଜନମଙ୍ଗଳ କାର୍ଯ୍ୟକ୍ରମ’ ବା ୱେଲ୍‌ଫେୟାରିଜିମ୍‌’କୁ ପ୍ରତିଷ୍ଠିତ କଲା । ଏବେ ସଂସ୍କୃତି ସୁରକ୍ଷାକୁ ଦଳ, ନିଜର ଆଦର୍ଶ ସହିତ ସାମିଲ୍ କରିବା ଦେଖାଯାଉଛି । ଏହିପରି ବିଜେଡି ଦେଶରେ ଅନ୍ୟ ଆଞ୍ଚଳିକ ଦଳ ପାଇଁ ଏକ ସଫଳ ମଡେଲ ହୋଇଛି ।
                                                                                                                                                                                     ଲଳିତ ମୋହନ ମିଶ୍ର
                                                                                                                                                                                    ସ୍ତମ୍ଭକାର, ଭୁବନେଶ୍ୱର
                                                                                                                                                                                   ମୋ : ୯୪୩୯୧୭୮୫୮୮

Leave a Reply