ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି, ଚୟନ କମିଟିକୁ ପଠାଇବାକୁ ଦାବି
1 min readନୂଆଦିଲ୍ଲୀ: କୃଷି ବିଲକୁ ଦେଶର ବିଭିନ୍ନ ସ୍ଥାନର ବିରୋଧ କରାଯାଉଛି । ବିରୋଧ ଭିତରେ କେନ୍ଦ୍ରର ମୋଦି ସରକାର କୃଷି ବିଲକୁ ଆଜି ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । ଯାହାକୁ ବିରୋଧ କରିଛି ବିଜୁ ଜନତା ଦଳ (ବିଜେଡି) । ଏହି ବିଲରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭାଗଚାଷୀଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଏହି ବିଲରେ ସୁଧାର ପାଇଁ ସରକାର ଏହାକୁ ଚୟନ କମିଟିକୁ ପଠାଇବା ଲାଗି ବିଜେଡି ଦାବି କରିଛି । ଦଳ ପକ୍ଷରୁ ରାଜ୍ୟସଭାରେ ଏନେଇ ସାଂସଦ ଅମର ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ ।
କୃଷି ସମ୍ପର୍କିତ ୨ଟି ବିଲକୁ ରାଜ୍ୟସଭାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଗତ କରିଥିଲେ । କହିଥିଲେ- ଏହି ୨ଟି ବିଲ୍ କୃଷକଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ତେବେ, ଏହି ବିଲକୁ ବିଜେଡି ସହ କଂଗ୍ରେସ ଓ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଏହି ବିଲକୁ ବିରୋଧ କରି ପୂର୍ବରୁ ଏନଡିଏ ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।
Union Minister of Agriculture and Farmer Welfare Narendra Singh Tomar moves Farmers' and Produce Trade and Commerce (Promotion and Facilitation) Bill, 2020 and Farmers (Empowerment and Protection) Agreement on Price Assurance and Farm Services Bill, 2020, in Rajya Sabha pic.twitter.com/vvguAWeSsh
— ANI (@ANI) September 20, 2020
କଂଗ୍ରେସ ବିଲକୁ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ ବୋଲି କହୁଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ବିଲକୁ କଳା ଆଇନ୍ ବୋଲି କହିଛି । ତେବେ, ଏସବୁ ଭିତରେ ଗୃହରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସ ସାଂସଦ ପ୍ରତାପ ସିଂହଙ୍କ ମନ୍ତବ୍ୟର ଜବାବରେ ବିଜେପି ସାଂସଦ ଭୁପେନ୍ଦ୍ର ସିଂହ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପ୍ରଥମେ କହୁ ୬୦ ବର୍ଷ ମଧ୍ୟରେ କୃଷକଙ୍କ ଆୟ କାହିଁକି କମିଛି । କଂଗ୍ରେସ କେବଳ କୃଷକଙ୍କ ପାଇଁ କଥା କୁହେଁ, କାମ କିଛି କରେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।
Congress opposes these ill-conceived and ill-timed Bills. Congress rejects these bills. We will not sign on this death warrant of farmers: Partap Singh Bajwa, Congress MP on agriculture Bills, in Rajya Sabha pic.twitter.com/rVYFckxccT
— ANI (@ANI) September 20, 2020
ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ କହିଛନ୍ତି- ସରକାର କେବଳ ବିଲକୁ ପାସ୍ କରିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁନାହାଁନ୍ତି । ଟିଆରଏସ୍ କହିଛି- ବିଲ୍ ରାଜ୍ୟର ଅଧିକାର ଉପରେ ଆକ୍ରମଣ ଅଟେ । ସରକାର ଦେଶର କୃଷି ସଂସ୍କୃତିକୁ ପରିବର୍ତ୍ତନ କରୁଥିବା ଟିଆରଏସ୍ ସାଂସଦ କେଶବ ରାଓ ଅଭିଯୋଗ କରିଛନ୍ତି । ୱାଇଏସ୍ଆର କଂଗ୍ରେସ, ଜେଡିୟୁ,ବିଲକୁ ସମର୍ଥନ କରିଛନ୍ତି ।
ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି- ଦେଶର ୭୦ ପ୍ରତିଶତ ଲୋକ ଚାଷ ସହ ଜଡ଼ିତ । ଦେଶରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ କ୍ଷେତରେ କେବଳ କୃଷକ କାମ କରୁଥିଲେ । କଣ ସରକାର ଭରସା ଦେଇପାରିବେ ବିଲ୍ ଲାଗୁ ହେଲେ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଯିବ । ଆଗକୁ ଦେଶରେ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ । ଯଦି ବିଲ୍ କୃଷକ ବିରୋଧୀ ନୁହେଁ ତାହେଲେ ଦେଶ ସାରା କାହିଁକି ବିରୋଧ ହେଉଛି । ଦେଶବ୍ୟାପୀ ବିରୋଧ ଅର୍ଥାତ୍ ବିଲକୁ ନେଇ ଦ୍ୱନ୍ଦ୍ୱ ରହିଛି । ପିଏମ୍ ମୋଦି କହିଥିଲେ- ବିଲକୁ ମିଛ ପ୍ରଚାର କରାଯାଉଛି । ତେବେ କଣ ମିଛ ପ୍ରଚାର ଯୋଗୁଁ ଜଣେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଇଦେଲେ ବୋଲି ସେ ପ୍ରଶ୍ନ କରିଥିଲେ ।