ପଶ୍ଚିମରୁ ଦକ୍ଷିଣ ଅର୍ଥନୈତିକ କରିଡର, ରାଜ୍ୟ ବିକାଶରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯୋଡ଼ିବ ନୂଆ ଅଧ୍ୟାୟ

ଭୁବନେଶ୍ୱର: ସାକାର ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ଓଡ଼ିଶା ବିକାଶରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯୋଡ଼ିବ ଆଉ ଏକ ମାଇଲଷ୍ଟୋନ୍ । ପଶ୍ଚିମରୁ ଦକ୍ଷିଣକୁ ସଂଯୋଗ କରିବ ୧୧ ଶହ କିଲୋମିଟରରୁ ଅଧିକ ଲମ୍ବା ରାସ୍ତା । ସୁନ୍ଦରଗଡ଼ ରାଉରକେଲାରୁ ଛତିଶଗଡ଼ ଜଗଦଲପୁର । ବିକାଶ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପଶ୍ଚିମାଞ୍ଚଳଠୁ ଦକ୍ଷିଣାଞ୍ଚଳ । ବିକାଶ ରଜ୍ଜୁରେ ଏକାଠି ହେବେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ । ଓଡ଼ିଶାପଟୁ କଳାହାଣ୍ଡି ଆମ୍ବପାଣିରୁ ବରଗଡ଼ ସୋହେଲା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ଓ୍ବେ କାମ ସମ୍ପୂର୍ଣ୍ଣ ହୋଇଛି । ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଏହି ରାସ୍ତାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ମହିଳା ସଶକ୍ତିକରଣରେ ଶିଖର ଛୁଇଁଲାଣି ଓଡ଼ିଶା । ମିଶନ ଶକ୍ତି ମହିଳାଙ୍କୁ ଏସଏମଇ ଉଦ୍ୟୋଗୀର ମାନ୍ୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଉତ୍ପାଦର ବଜାର ସୁବିଧା ପାଇଁ ବିଜୁ ଏକ୍ସପ୍ରେସ୍ ଓ୍ୱେର ଦୁଇ ପାର୍ଶ୍ବରେ ଖୋଲିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି କେନ୍ଦ୍ର । ଏହା ସହିତ ଏସଏମଇ ପାର୍କ ବି ପ୍ରତିଷ୍ଠା ହେବ। ଅର୍ଥନୈତିକ କରିଡରର ବଡ଼ ଉଦାହରଣ ପାଲଟିବ ଏହି ଏକ୍ସପ୍ରେସ୍ ଓ୍ବେ। ଅଭିବୃଦ୍ଧିରେ ଦେଶଠୁ ଆଗରେ ଓଡ଼ିଶା । ମୁଣ୍ଡ ପିଛା ଆୟ ବୃଦ୍ଧିରେ ରାଜ୍ୟ କରିଛି ରେକର୍ଡ । ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରି ଆଞ୍ଚଳିକ ବୈଷମ୍ୟ ଓ ତାରତମ୍ୟ ହ୍ରାସ କରିବା ଏବେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଏକ୍ସପ୍ରେସ୍ ଓ୍ବେ ହେବ ବାଣିଜ୍ୟ ପାଇଁ ଓଡ଼ିଶାର ଗେଟ୍ ଓ୍ବେ।