୧୨୦ ଘଣ୍ଟା ହନୁମାନ ଓ ମା’ ଦୁର୍ଗାଙ୍କ ପରିକ୍ରମା କଲା କୁକୁର, ଚମତ୍କାର କହି ପୂଜା କରୁଛନ୍ତି ଲୋକେ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ବିଜନୋର ଜିଲ୍ଲା ନନ୍ଦପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ଥିବା ଏକ ପ୍ରାଚୀନ ମନ୍ଦିରରେ ଏକ କୁକୁର ଚର୍ଚ୍ଚାର କାରଣ ପାଲଟିଛି । କୁହାଯାଉଛି କୁକୁରଟି ଲଗାତାର ୫ ଦିନ ଅର୍ଥାତ ୧୨୦ ଘଣ୍ଟା ବିନା କିଛି ଖାଇ ବିନା କିଛି ପିଇ ହନୁମାନ ଜୀ ଏବଂ ମା’ ଦୁର୍ଗାଙ୍କୁ ପରିକ୍ରମା କରିଛି । ଖବର ପ୍ରଚାରିତ ହେବା ପରେ କୁକୁରକୁ ଚମତ୍କାରୀ ଭାବି ଲୋକେ ପୂଜା କରିବା ଆରମ୍ଭ କରିଦେଇଛନ୍ତି ।
ଗ୍ରାମବାସୀଙ୍କ ଅନୁସାରେ, କୁକୁରଟି ଗତ ୫ ଦିନ ହେବ କିଛି ନଖାଇ ନପିଇ ମୂର୍ତ୍ତିକୁ ପରିକ୍ରମା କରୁଥିଲା । ଦୁର୍ବଳ ହୋଇଯିବା ସହ ଥକି ଯିବାରୁ ସେଠାରେ ପଡ଼ି ଯାଇଥିଲା । ମନ୍ଦିର କମିଟି ସମସ୍ୟ ତାଙ୍କୁ ଏକ ବିଛଣାରେ ଶୁଆଇ ଦେଇ ଚାଦର ଢାଙ୍କି ଦେଇଥିଲେ । ଚାହିଁ ଚାହିଁ ଏହି ଖବର ପ୍ରସାରିତ ହୋଇଯାଇଥିଲା ଓ କୁକୁରକୁ ଦେଖିବାକୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା । ଏପରି ଲାଗୁଛି ଯେମିତି ମନ୍ଦିରରେ କିଛି ଉତ୍ସବ ଚାଲିଛି ।
ଶ୍ରଦ୍ଧାଳୁ କୁକୁରକୁ ଦେଉଛନ୍ତି ପ୍ରସାଦ ଓ ଦାନ
ଦେଖିବା କଥା ହେଲା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭଗବାନଙ୍କ ସହ କୁକୁରର ବି ଦର୍ଶନ କରୁଛନ୍ତି । ସେତିକି ନୁହେଁ, ଶ୍ରଦ୍ଧାଳୁ ଏହାକୁ ଚମତ୍କାରୀ କୁକୁର ଭାବି ପ୍ରସାଦ ଦେବା ସହ ଦାନରେ ଟଙ୍କା ବି ଦେଉଛନ୍ତି । ଏପରିକି ମଥା ଟେକି କୁକୁରକୁ ପୂଜା ବି କରୁଥିବା ଦେଖିବାକୁ ମିଳୁଛି । କୁକୁର ଉପରେ ଭଗବାନଙ୍କୁ କୃପା ଥିବା ଲୋକେ ବିଶ୍ବାସ କରିବା ସହ ମାନସିକ ବି କରିବା ଆରମ୍ଭ କରିଦେଇଛନ୍ତି । ଏପରିକି ଭିଡ଼କୁ ଦେଖି ମନ୍ଦିର ବାହାରେ ଉଠା ଖେଳନା ଓ ପ୍ରସାଦ ଦୋକାନ ବି ଖୋଲିଯାଇଥିବା ଦେଖିବାକୁ ମିଳୁଛି ।
କୁକୁରର ଚିକିତ୍ସା ଆରମ୍ଭ
୫ ଦିନ ଭୋବିଲା ରହିବା ଫଳରେ କୁକୁରଟିର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି । ଏପରିକି କ୍ଷୀର ଓ ରୁଟି ଦିଆଯାଇଥିଲେ ବି ସେ କିଛି ଖଶଇନି । ସ୍ଥିତି ବିଗୁଡୁ ଥିବା ଦେଖି ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଆଯାଇଛି । ପ୍ରାଣୀ ଚିକିତ୍ସାକ ଡକ୍ତର ଅଶ୍ବନୀ ଚିତ୍ରାଂଶ କହିଛନ୍ତି, କୁକୁରଟି କିଛି ଖାଇ ନଥିବାରୁ ଶରୀରରେ ପାଣି ଓ ମିନେରାଲ୍ସ କମିଯାଇଛି । ଜୀବନ ବଞ୍ଚାଇବାକୁ ଗ୍ଲୁକୋଜ, ମଲ୍ଟି ଭିଟାମିନ ଓ ଫ୍ରୁଟ ଥେରାପି ଦିଆଯାଉଛି । ଯାହାଦ୍ବାରା କୁକୁର ଶରୀର ପାଇଁ ଆବଶ୍ୟକ ପୋଷକତତ୍ତ୍ବର ଅଭାବ ପୂରଣ ହୋଇପାରିବ ।
ବିଜ୍ଞାନ ଆଗରେ ଭକ୍ତି ଭାରି
ଏହି ଘଟଣା ପରେ ଆସ୍ଥା ଓ ଅନ୍ଧବିଶ୍ବାସକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ବିଜ୍ଞାନ କୁକୁରର ଶାରୀରିକ ସ୍ଥିତି ଓ ବେମାରୀକୁ ତର୍କ ଦେଉଛି । ସେପଟେ ଭକ୍ତଙ୍କ ଭିଡ଼ ଏହାକୁ ଚମତ୍କାର କହୁଛନ୍ତି ।

