ରାତି ପାହିଲେ ବିଜେପୁର ଭୋଟ୍; ଉତ୍ସାହିତ ଭୋଟର, ନେତାଙ୍କ ଛାତିରେ ଶଙ୍କା

1 min read

ସରିଛି ପ୍ରଚାର । ବିଜେପୁର ଛାଡ଼ିଛନ୍ତି ମାସେ ହେଲା ଡେରା ପକାଇଥିବା ନେତା । ସୋମବାର ସକାଳ ୭ଟାରୁ ଆରମ୍ଭ ହେବ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୫ଟି ବୁଥରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ୧୨୯ଟି ଉତ୍ତେଜନାପ୍ରବଣ ଓ ୬ଟି ଅତି ସମ୍ବେଦନଶୀଳ ଏବଂ ନକ୍ସଲ ପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପ୍ରାୟ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଉପନିର୍ବାଚନ ପାଇଁ ବିଜେପୁର ନିର୍ବାଚନ ମଣ୍ଡଳୀର ୬ଟି ମତଦାନ କେନ୍ଦ୍ରରେ ମଡେଲ ବୁଥ୍ ସହ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିବା ବେଳେ ୭୭ଟି ବୁଥରେ ମାଇକ୍ରୋ ଅବଜରଭର ରହିବେ । ଭୋଟ୍ ଗ୍ରହଣର ସୁପରିଚାଳନା ପାଇଁ ୩୨ ଜଣ ସେକ୍ସନ ଅଫିସର ଓ ୧୦ ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବିଜେପୁରରେ ବସା ବାନ୍ଧିଥିବା ନେତା ଗତକାଲି ସନ୍ଧ୍ୟାରୁ ବାହୁଡ଼ିଛନ୍ତି । ଜିତିବା ପାଇଁ ୩ ଦଳ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଭୋଟ୍ ଗ୍ରହଣ ପୂର୍ବରୁ ଆଜି ଶେଷ ରାତିରେ ଅନ୍ଧାରୀ ବିଜେ ହେବାର ସମ୍ଭାବନା ରହିଛି । ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସବୁ ପ୍ରାର୍ଥୀ ଯଥାସମ୍ଭବ ପ୍ରୟାସ କରିବେ ।

ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ବିଜେପିର ସନତ ଗଡ଼ତିଆଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥିନୀ ରୀତାରାଣୀ ସାହୁ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି । କାଲି ଭୋଟ୍ ଗ୍ରହଣ ପରେ ଆସନ୍ତା ୨୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ')}

Leave a Reply