‘ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦେବା ଅନୁଚିତ, ଏକଛତ୍ରବାଦୀ ଶାସନ ହିଁ ସମାଜରେ ଆଣିବ ପରିବର୍ତ୍ତନ’: ବିଜୟ ଦେଭରକୋଣ୍ଡା

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚିତ୍ର ଅର୍ଜୁନ ରେଡ୍ଡୀରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ବିଜୟ ଦେଭରକୋଣ୍ଡାଙ୍କ ଏକ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ପୁରା ଦେଶକୁ ଭୋଟ ଦେବାର ଅଧିକାର ଦେବା ଉଚିତ ନୁହେଁ । କେବଳ ସେତିକି ନହେଁ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ରାଜନୀତିକୁ ଆସିବେ ତେବେ ସେ ଏକଛତ୍ରବାଦୀ ଶାସକ ହେବାକୁ ପସନ୍ଦ କରିବେ । ଡିଜିଟାଲ ପ୍ଲାଟଫର୍ମ ଫିଲ୍ମ କମ୍ପାନିୟନରେ ବିଜୟଙ୍କୁ ପଚରାଯାଇଥିଲା ଯେ, ଯେଉଁଭଳି ଭାବରେ ଅନ୍ୟ ଚଳଚିତ୍ର ଅଭିନେତା ରାଜନୀତିରେ ପାଦ ଥାପୁଛନ୍ତି ସେହିଭଳି ସେ ରାଜନୀତିରେ ଆସିବାକୁ ଚାହୁଁଛନ୍ତି କି ? ଏହାର ଉତ୍ତରରେ ସେ ଏହି ବିବାଦିୟ ମନ୍ତବ୍ୟ ଦେଇଥିଲେ ।

ଅଭିନେତା ଜଣଙ୍କ ବର୍ତ୍ତମାନର ନିର୍ବାଚନୀ ପ୍ରଣାଳୀକୁ ବିରୋଧ କରି କହିଛନ୍ତି ଯେ, ତାଙ୍କ ପାଖରେ ରାଜନୀତି ପାଇଁ ଧୈର୍ଯ୍ୟ ନାହିଁ । ସେ କହିଛନ୍ତି ଯେ, ‘ ରାଜନୈତିକ ବ୍ୟବସ୍ଥା ଏଭଳି ଭାବରେ ରହିଛି ଯାହାକି ସହଜରେ ବୁଝା ପଡ଼େନି, ଠିକ ସେମିତି ନିର୍ବାଚନକୁ ମଧ୍ୟ ସମସ୍ତେ ବୁଝିପାରନ୍ତି ନାହିଁ । ମୋ ମତରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦିଆଯିବା ଉଚିତ ନୁହେଁ । ଯଦି ଆପଣ ଏକ ବିମାନରେ ଯାଉଛନ୍ତି, ତେବେ କଣ ବିମାନରେ ବସିଥିବା ସମସ୍ତ ୩୦୦ ଯାତ୍ରୀ ନିଷ୍ପତ୍ତି ନେବେ କିଏ ବିମାନ ଚଲାଇବ ? ନାଁ ! ଏଥିପାଇଁ ଆମେ ଏୟାରଲାଇନ୍ସ ଭଳି କୁଶଳ ଏଜେନ୍ସିର ନିଷ୍ପତ୍ତି ଉପରେ ଭରସା କରିଥାନ୍ତି । ଯିଏ ସବୁଠୁ ସକ୍ଷମ ସାବ୍ୟସ୍ତ ହେବ କମ୍ପାନୀ ତାକୁ ହିଁ ବିମାନ ଉଡ଼ାଇବାର ଅନୁମତି ଦେବ ।’

‘ଲୋକ ଟଙ୍କା ପାଇଁ କାହିଁକି ଭୋଟ ଦିଅନ୍ତି ?’

ବିଜୟ କହିଛନ୍ତି ଯେ, ‘କାହିଁକି ଟଙ୍କା ପାଇଁ ଭୋଟ ଦିଆଯାଏ ? କାହିଁକି ଶସ୍ତା ମଦ ପାଇଁ ଲୋକ ଭୋଟ ଦିଅନ୍ତି ? ଏହା ନିହାତି ହାସ୍ୟାସ୍ପଦ । ମୁଁ ଏହା କହୁନି ଯେ ଧନୀ ଲୋକମାନଙ୍କୁ ଭୋଟ ଦିଅ, କିନ୍ତୁ ମୋ ମତରେ ମଧ୍ୟମ ବର୍ଗଙ୍କ ପାଖରେ ଅଧିକ ଅଂଶୀଦାର ରହିଛି ଏବଂ ଶିକ୍ଷିତ ଲୋକମାନେ ମଧ୍ୟ କେବେ ଟଙ୍କା ପାଇଁ ଭୋଟ ବଦଳାନ୍ତି ନାହିଁ । ସେଥିପାଇଁ ମୋ ମତରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦେବା ଉଚିତ ନୁହେଁ କାରଣ ଜନତା ନିଜେ ଜାଣିନାହାନ୍ତି ସେ କାହାକୁ ଭୋଟ ଦେଉଛନ୍ତି ଓ କାହିଁକି ଭୋଟ ଦେଉଛନ୍ତି ।’

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏକଛତ୍ରବାଦୀ ଶାସନ ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ ଏବଂ ସେ ତାହା ହେବାକୁ ପସନ୍ଦ କରିବେ ।

Leave a Reply