ଫାଟିଯାଇଛି ହୃଦୟ, ଲିଭର ୪ ଖଣ୍ଡ ଏବଂ ମୁଣ୍ଡରେ ୧୫ ଫ୍ରାକଚର…ନିର୍ଦ୍ଦୟର ସହ କରାଯାଇଥିଲା ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ:  ଫାଟିଯାଇଛି ହୃଦୟ, ଲିଭର ୪ ଖଣ୍ଡ ଏବଂ ମୁଣ୍ଡରେ ୧୫ ଫ୍ରାକଚର । କେବଳ ଏତିକି ନୁହେଁ ବେକ ଭାଙ୍ଗିଯିବା ସହ ଶରୀରର ୫ଟି ସ୍ଥାନରେ ଭାଙ୍ଗିଛି ହାଡ । ଆଜ୍ଞା ହଁ ଅତି ନିର୍ଦ୍ଦୟର ସହ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି  । ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅତି ନିର୍ମମ ଭାବେ ହତ୍ଯା କରାଯାଇଛି। ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ମୁଣ୍ଡରେ ୧୫ଟି କ୍ଷତ ଚିହ୍ନ ରହିଛି । ମାଡ଼ରେ ତାଙ୍କର ଯକୃତ ଚାରି ଖଣ୍ଡ ହୋଇଯାଇଛି। ବେକ ଭାଙ୍ଗି ଯାଇଛି। ହୃଦୟ ଫାଟି ଯାଇଛି। ମାଡରେ ଶରୀର ୫ଟି ସ୍ଥାନରେ ହାଡ଼ ଭାଙ୍ଗିଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବୀଭତ୍ସ ହତ୍ୟାର ଏହି ତଥ୍ୟ ସାମନାକୁ ଆସିଛି । ଯାହା ଛାତି ଥରେଇ ଦେଇଛି ।

ଯେଉଁ ଡାକ୍ତର ସାମ୍ବାଦିକଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ଏଭଳି ମାମଲା ଦେଖିନଥିଲେ ବୋଲି ସେ କହିଛନ୍ତି। ଅତି ନିର୍ଦ୍ଦୟର ସହ ସାମ୍ବାଦିକଙ୍କୁ ହତ୍ଯା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକଙ୍କ ହତ୍ଯାରେ ୨ରୁ ଅଧିକ ଅଭିଯୁକ୍ତଙ୍କ ସାମିଲ ଥିବା କହିଛନ୍ତି ଡାକ୍ତର। ସେପଟେ ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ଯା ମାମଲାର ମୁଖ୍ଯ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ହାଇଦ୍ରାବାଦରୁ ଗିରଫ କରିଛି ପୋଲିସ । ରୀତେଶ ଚନ୍ଦ୍ରାକରଙ୍କ ସମେତ ୩ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ ।

୨୮ ବର୍ଷ ବୟସ୍କ ମୁକେଶଙ୍କ ମୃତଦେହ ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିବା ପରେ ରାଜ୍ଯରେ ସୃଷ୍ଟି ହୋଇଥିଲା ହଇଚଇ। ବସ୍ତର ଅଞ୍ଚଳର ଗଙ୍ଗାଳୁରୁରୁ ହିରୋଲି ୧୨୦କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ପଦାକୁ ଆଣିଥିଲେ ମୁକେଶ । ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ୫୦ କୋଟି ଟଙ୍କା ଥିବାବେଳେ ପରେ ଏହାକୁ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଠିକାଦାର ସୁରେଶ ଚନ୍ଦ୍ରାକର ଏହି କାମ ନେଇଥିଲେ। ମୁକେଶଙ୍କ ଅନୁସନ୍ଧାନମୂଳକ ରିପୋର୍ଟ ଯୋଗୁ ଏହି ଦୁର୍ନୀତିର ତଦନ୍ତ ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ରୀତେଶ ହେଉଛି ସୁରେଶ ଚନ୍ଦ୍ରାକରର ଭାଇ । ଜାନୁଆରୀ ୧ରେ ସେମାନେ ମୁକେଶଙ୍କୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ମୁକେଶଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା। ପରେ ସେ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ମୁକେଶଙ୍କ ବଡ଼ଭାଇ ଯୁକେଶ। ଦୁଇ ଦିନ ପରେ ମୁକେଶଙ୍କ ମୃତହେବ ଚତ୍ତନପଡ଼ା ସ୍ଥିତ ସୁରେଶଙ୍କ ମାଲିକାନାରେ ଥିବା ଜାଗାର ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିଥିଲା।

ହତ୍ଯା ଘଟଣାରେ ରୀତେଶ ଚନ୍ଦ୍ରାକର, ସୁପରଭାଇଜର ମହେନ୍ଦ୍ର ରାମତେକେ ଓ ଦୀନେଶ ଚନ୍ଦ୍ରାକରକୁ ଗିରଫ କରାଯାଇଛି। ୨୦୧୨ରେ ମୁକେଶ କ୍ଯାରିୟର ଆରମ୍ଭ କରିଥିଲେ ପରେ ନିଜର ଏକ ୟୁଟ୍ଯୁବ ଚ୍ୟାନେଲ ବସ୍ତର ଜଙ୍କସନ ତିଆରି କରିଥିଲେ। ତାହାର ସବସ୍କ୍ରାଇବର ସଂଖ୍ଯା ଥିଲା ୫୯ ଲକ୍ଷ। ତାଙ୍କ ନିଜ ଗ୍ରାମ ଥିଲା ବିଜାପୁରର ବାସାଗୁଡା ଗାଁ। ନିର୍ଭୀକ ରିପୋର୍ଟିଂରେ ସେ ଖ୍ଯାତି ଅର୍ଜନ କରିଥିଲେ।