ନନ୍ଦିଘୋଷ ବ୍ୟୁରୋ : ପ୍ରଚାରରେ କମ୍ପୁଛି ବିହାର ମଇଦାନ। ଆସନ୍ତା ୬ରେ ପ୍ରଥମ ପର୍ଯ୍ୟାୟ ଭୋଟ। ଆସନ୍ତାକାଲି ସରିବ ପ୍ରଚାର। ଭୋଟରଙ୍କ ମନ ଜିଣିବା ଲାଗି ଚାଲିଛି ଟକ୍କର। ପ୍ରଚାରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରବାସୀ ମହାଗଠବନ୍ଧନକୁ ପ୍ରତ୍ୟାଖ୍ୟାନ କରି ଜଙ୍ଗଲରାଜରୁ ଦୂରେଇବା ସହ ପରିବାରରାଜରୁ ବିହାରକୁ ମୁକ୍ତ କରିବା ଲାଗି ସେ ଆହ୍ବାନ କରିଛନ୍ତି। ବିହାରକୁ ବିକାଶ ମାର୍ଗରେ ପରିଚାଳିତ କରାଯିବ ଏବଂ କେନ୍ଦ୍ର ସରକାର ସମସ୍ତ ସୁଯୋଗ ସୃଷ୍ଟି କରିବେ ବୋଲି ସେ କହିଛନ୍ତି। ତେଣେ ରାଜ୍ୟରେ ଡିଫେନ୍ସ କରିଡର, ବନ୍ୟା ଆୟୋଗ ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।
ତେଣେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏନଡିଏକୁ କରିଛନ୍ତି ଶାଣିତ ସମାଲୋଚନା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି- ବିରୋଧୀ ଦଳମାନଙ୍କୁ ଅପମାନ ଦିଆଯାଉଛି। ବିହାରରେ ଏକ ଅପମାନ ମନ୍ତ୍ରାଳୟ ପ୍ରତିଷ୍ଠା କରାଯାଉ। ବିହାରରେ ଦୁର୍ନୀତି, ଅପରାଧ ବୃଦ୍ଧି ପାଉଛି ଏବଂ ବିହାର ସରକାର ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲୁଛି ବୋଲି କହିଛନ୍ତି ପ୍ରିୟଙ୍କା। ଏହା ସହ ବିଭିନ୍ନ ସ୍ଥାନରେ ଜେଏମଏମ ସୁପ୍ରିମୋ ହେମନ୍ତ ସୋରେନଙ୍କ ସହ ପ୍ରିୟଙ୍କା କରିଛନ୍ତି ପ୍ରଚାର। ପ୍ରଚାର ଅବସରରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି- ଏଥର ନୀତୀଶ ସରକାରର ପତନ ଘଟିବ। ତେଜସ୍ବୀଙ୍କୁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି କହିଛନ୍ତି ଶିବକୁମାର।
ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସମାଲୋଚନା କରିଛନ୍ତି ଭାଇ ତେଜପ୍ରତାପ ଯାଦବ। ତେଜସ୍ବୀ ଏବେ ବି ଶିଶୁ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କ କ୍ଷୀରଖିଆ ଦାନ୍ତ ଏଯାଏ ପଡିନି। ତାଙ୍କ ଭୁଲଗୁଡିକୁ କ୍ଷମା ଦିଆଯାଉ ବୋଲି କହିଛନ୍ତି ତେଜପ୍ରତାପ। ଯଦି ମହୁଆବାସୀ ଚାହାଁନ୍ତି ତେବେ ଏଥର ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି କହିଛନ୍ତି ତେଜପ୍ରତାପ।
ଆସନ୍ତା ୬ରେ ହେବ ଭୋଟ । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ ୧୮ ଜିଲ୍ଲାର ୧୨୧ ଆସନରେ ହେବ ଭୋଟ । ମଇଦାନରେ ଅଛନ୍ତି ୧ ହଜାର ୩୧୪ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୩୩ ଜଣ ହେଉଛନ୍ତି ମହିଳା । ପ୍ରଥମ ପର୍ଯ୍ୟାୟରେ ଦୁଇ ଉପମୁଖ୍ଯମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ, ଆରଜେଡି ନେତା ତେଜସ୍ବୀ ଯାଦବ, ଭାଇ ତେଜପ୍ରତାପ ଯାଦବଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

