ବିହାରରେ ଭୋଟର ଲିଷ୍ଟ ସଂଶୋଧନ ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆଧାର ଓ ରାସନ କାର୍ଡ ସାମିଲ କରିବାକୁ ଦେଲେ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ଜାରି ରହିବ ଭୋଟର ଲିଷ୍ଟ ସଂଶୋଧନ । ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ । ଗୁରୁବାର ହୋଇଥିବା ଶୁଣାଣିରେ କୋର୍ଟ ଭୋଟର ସଂଶୋଧନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି, ଲୋକତାନ୍ତ୍ରିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି । ନିର୍ବାଚନ କମିଶନ ସାମ୍ବିଧାନିକ କର୍ତ୍ତୃପକ୍ଷ । ଆମେ ତାଙ୍କୁ ଏହା କରିବାରୁ ଅଟକାଇବୁ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧୀଙ୍କ ପାଇଁ ଏକ ଝଟକା ହୋଇଛି । ତେବେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇବା ବେଳେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି । ପରିଚୟ ପାଇଁ ଆଧାର କାର୍ଟ, ରାସନ କାର୍ଡ ଓ ଭୋଟର ପ୍ରମାଣପତ୍ରକୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ଭୋଟର ତାଲିକାରେ ଅଣ ଭାରତୀୟଙ୍କ ନାଁ ସେମିତି ନରହିବ ତାହା ସୁନିଶ୍ଚିତ କରିବା ପାଇଁ ଭୋଟର ତାଲିକାରେ ସଂଶୋଧନ କୌଣସି ଭୁଲ ନୁହେଁ । ହେଲେ ନିର୍ବାଚନର କିଛି ମାସ ପୂର୍ବରୁ ସଂଶୋଧନ ପାଇଁ ନିଷ୍ପତ୍ତି ନିଆଯିବାକୁ କ’ଣ କୁହାଯିବ ।

ବିଚାରପତି ସୁଧାଂଶୁ ଧୂଲିୟା ଏବଂ ଜୟମାଲା ବାଗଚୀଙ୍କ ଖଣ୍ଡପିଠ ଆବେଦନର ଶୁଣାଣି କରିଥିଲେ । ନିର୍ବାଚନ କମିଶନଙ୍କ ତରଫରୁ ଗରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦି ହାଜର ହୋଇଥିଲେ । ତାଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ ଏବଂ ମନିନ୍ଦର ସିଂ ମଧ୍ୟ ହାଜର ହୋଇଥିଲେ । ଅନ୍ୟପକ୍ଷେ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ କହିଥିଲେ, ଜନପ୍ରତିନିଧି ଆଇନ ଅନୁସାରେ ଭୋଟର ତାଲିକା ସଂଶୋଧନ ପାଇଁ ଅନୁମତି ଦିଆଯାଇ ପାରିବ । ଏସଆଇଆର ଅନୁସାରେ ପ୍ରାୟ ୭.୯ କୋଟି ନାଗରିକ ଆସିବେ ଏବଂ ଏଥିରେ ଆଧାର କାର୍ଡ ଓ ଭୋଟର ପ୍ରମାଣପତ୍ରକୁ ବି ବିଚାରକୁ ନିଆଯାଉନାହିଁ ।