୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ହେବ ମତଦାନ, ଲାଲୁଙ୍କ ଲାଲା ତେଜସ୍ୱୀ ଓ ତେଜ ପ୍ରତାପଙ୍କ ହେବ ଭାଗ୍ୟ ପରୀକ୍ଷା

ବିହାର: କାଲି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କରୋନା କଟକଣା ଭିତରେ ନିଜର ସରକାର ବାଛୁଛନ୍ତି ବିହାରବାସୀ । ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ଏହି ପର୍ଯ୍ୟାୟରେ ମୈଦାନରେ ୧, ୪୬୩ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏମାନଙ୍କ ମଧ୍ୟରେ ୧, ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୧, ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ପ୍ରାୟ ୨ କୋଟି ୮୫ ଲକ୍ଷ ଭୋଟର ।

ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବାବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛନ୍ତି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିୱାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ହେବ ନିର୍ବାଚନ ।

ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କର ଏହି ପର୍ଯ୍ୟାୟରେ ନିର୍ବାଚନ ରହିଛି । ତେଜସ୍ୱୀ ଚଳିତ ବର୍ଷର ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ । ନୀତିଶ ଓ ତେଜସ୍ୱୀଙ୍କର ରାଜନୈତିକ ବୟାନବାଜି ଏଥରର ବିହାର ରାଜନୈତିକ ପରିବେଶକୁ ଅଧିକ ଉଷ୍ଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା ।

Leave a Reply