ରାତି ପାହିଲେ ବିହାରରେ ଦ୍ୱିତୀୟ ପର୍ଯାୟ ମତଦାନ, କାହାର ରହିବ ପଲ୍ଲା ଭାରି

bihar Election

ବିହାର: ରାତି ପାହିଲେ ବିହାର ବିଧାନସଭାର ଦ୍ୱିତୀୟ ପର୍ଯାୟ ମତଦାନ । ଏହି ପର୍ଯ୍ୟାୟ ବିହାରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମତଦାନ ବୋଲି କୁହାଯାଉଛି । କାରଣ ଏହି ପର୍ଯ୍ୟାୟରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପାର୍ଥୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ନୀତିଶ ସରକାରର ୪ ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ରହିଛି । ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ଆସନରୁ ଲଢୁଛନ୍ତି । ଏହି କ୍ଷେତ୍ରରେ ଅଧିକ ମାତ୍ରାରେ ଜାତିବାଦ ରାଜନୀତି କରାଯାଏ ବୋଲି ସବୁବେଳେ ଚର୍ଚ୍ଚାରେ ରହିଥାଏ ।

Bihar Election

ଗତଥର ମଧ୍ୟ ଏହି ଆସନରୁ ତେଜସ୍ୱୀ ଜିତିଥିବା ବେଳେ ଏଥର ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଏହି ଆସନରୁ ୧୯୯୫, ୨୦୦୦ରେ ଲାଲୁ ପ୍ରସାଦ ଯାଦବ ନିର୍ବାଚନ ଜିତିଥିବା ବେଳେ ୨୦୦୫ରେ ରାବିଡି ଦେବୀ ମଧ୍ୟ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୦ରେ ରାବିଡି ଦେବୀ ଏହି ଆସନରୁ ନିର୍ବାଚନ ହାରିଯାଇଥିଲେ । ବିଜେପିର ସତିଶ କୁମାର ଏହି ଆସନକୁ କବ୍‌ଜା କରିଥିଲେ ।

Bihar Assembly Election With Out Lalu Prasad Yadav

ପୁଣି ୨୦୧୫ରେ ତେଜସ୍ୱୀ ଯାଦବ ଏହି ଆସନରେ ବିପୁଳ ସମର୍ଥନ ସହ ବିଜୟ ହାସଲ କରିଥିଲେ । କିନ୍ତୁ ସେତେବେଳେ ରାଜନୈତିକ ସମୀକରଣ ଭିନ୍ନ ଥିଲା । କଂଗ୍ରେସ ଓ ଜେଡିୟୁର ସମର୍ଥନରେ ଆରଜେଡିର ତେଜସ୍ୱୀ ବିଜୟୀ ହୋଇଥିଲେ । ଏଥର କିନ୍ତୁ ସ୍ଥିତି ସମାନ ନାହିଁ । ଜେଡିୟୁ ଏବେ ବିଜେପି ମିଶି ଏଥର ଜେତସ୍ୱୀଙ୍କୁ ଟକ୍କର ଦେଉଛି । ତେଣୁ ତେଜସ୍ୱୀ ନିର୍ବାଚନରେ ଜିତିବେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଏତେ ସହଜ ବିଜୟ ନୁହେଁ ବୋଲି ରାଜନୀତିଜ୍ଞ ମାନେ ମତଦେଇଛନ୍ତି ।

Bihar Election

ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ମୈଦାନରେ ୧ ହଜାର ୪୬୩ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ପ୍ରାୟ ୨ କୋଟି ୮୫ ଲକ୍ଷ ଭୋଟର ।

ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡିୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିଓ୍ୱାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ଭୋଟିଂ ହେବ । ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା ।

Leave a Reply