ବିହାରର ନାଳନ୍ଦା ଜିଲ୍ଲାରେ ପୁଣି ସଂଘର୍ଷ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା

ପାଟନା: ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫରେ ପୁଣି ସଂଘର୍ଷ । ରାମନବମୀ ଅବସରରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହୁଥିଲେ ବି ପୁଣି ସଂଘର୍ଷ ଦେଖାଦେଇଛି । ସାସାରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା ହୋଇଥିଲା । ଘଟଣା ପରେ ପୂରା ଅଞ୍ଚଳରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି  । ଗୁଳିମାଡ଼ରେ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ଟିମ୍ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି ।

ସୂଚନା ଅନୁସାରେ ଏଭଳି କିଛି ଗୋଷ୍ଠୀ ସଂଘର୍ଷ ଘଟିପାରେ ବୋଲି ପୋଲିସ ପାଖରେ ସୂଚନା ଥିଲା । ଯେଉଁଥିପାଇଁ ପୋଲିସ ସତର୍କ ରହିଥିଲା । ଏହା ସତ୍ତ୍ୱେ ଅନେକ ସ୍ଥାନରେ ସଂଘର୍ଷ ହୋଇଛି । ଏହି ଅଞ୍ଚଳରେ ଯେପରି ସ୍ଥିତି ଆହୁରି ଖରାପ ନ ହୁଏ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାମନବମୀରେ ପଶ୍ଚିମବଙ୍ଗ ଓ ଗୁଜରାଟରେ ହିଂସା କାଣ୍ଡ ଘଟିବା ପରେ ବିହାରର ସାସାରାମରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବ୍ୟତୀତ କେତେକ ଘରେ ନିଆଁ ଲଗାଇବାର ଘଟଣା ମଧ୍ୟ ଘଟିଥିଲା ।