ହତ୍ୟା ଅଭିଯୋଗରେ ସଜ୍ଜା କାଟୁଥିବା କଏଦୀଙ୍କୁ IIT ନାମଲେଖା ଏଣ୍ଟ୍ରାନ୍ସରେ ୫୪ତମ ରାଙ୍କ

Bihar Prisoner Murder IIT Admission Test 54th Rank

ପାଟଣା: ସମୟ ଚକ୍ରରେ ପଡ଼ି ମଣିଷ ଯେତେ ବିଜ୍ଞ ହୋଇଥିଲେ ବି ଅପରାଧ କରି ବସେ । ପରେ ପସ୍ତାଏ ମଧ୍ଯ । କିନ୍ତୁ ଜେଲର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଖୁବ୍ କମ୍ କଏଦୀ ଆଗକୁ ବଢ଼ିବାକୁ ପ୍ରୟାସ କରନ୍ତି ଆଉ ସଫଳ ମଧ୍ୟ ହୁଅନ୍ତି । କାରଣ ଭୁଲବଶତଃ କିମ୍ବା ଅଜାଣତରେ କରିଥିବା କୌଣସି ଅପରାଧ ପାଇଁ ସେମାନେ ଅନୁତପ୍ତ ଥାଆନ୍ତି । ସମାଜରେ କଳଙ୍କିତ ହୋଇଥିବା ନିଜ ଛବିକୁ ପରିମାର୍ଜିତ କରିବାକୁ ଅହରହ ଚେଷ୍ଟା କରିଥାନ୍ତି ।

ଏମିତି ଜଣେ ଯୁବକ ହେଉଛନ୍ତି ସୁରଜ କୁମାର ଯାଦବ । ଯିଏ ଏବେ ବିହାର ନୱାଦା ସବଜେଲରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ଅଛନ୍ତି । ୨୦୨୧ ଏପ୍ରିଲରେ ତାଙ୍କ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଜ ଓ ତାଙ୍କ ଭାଇ ବୀରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଗାଁ ନାଳକୁ ନେଇ ଘଟିଥିଲା ହତ୍ୟାକାଣ୍ଡ । ପିଲାଟି ଦିନରୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ସୁରଜ ଜେଲରେ ବି ପାଠ ପଢ଼ିବାରୁ ହାର୍ ମାନି ନଥିଲେ ।

ଆଉ ଏଥିରେ ସୁରଜଙ୍କୁ ସହଯୋଗ ଯୋଗାଇ ଦେଇଥିଲେ ଜେଲ୍ କର୍ତ୍ତୃପକ୍ଷ । ନିକଟରେ ଦିଲ୍ଲୀ ଆଇଆଇଟି ପକ୍ଷରୁ ଆୟୋଜିତ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସରେ ସୁରଜ ୫୪ ତମ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ଆଶା ରହିଛି ଆଇଆଇଟି ରୁର୍କୀରେ ସେ ପାଠ ପଢ଼ିବେ । ପରୀକ୍ଷା ପାଇଁ ଖୋଦ୍ ଜେଲ୍ ଅଧୀକ୍ଷକ ସମସ୍ତ ସହଯୋଗ କରିଥିଲେ । ଆବଶ୍ୟକ ପାଠ୍ୟ ପୁସ୍ତକ ଯୋଗାଇ ଦେବା ସହ ପରୀକ୍ଷା ପାଇଁ ଗୋଟିଏ ମାସ ପାରୋଲ୍ ଦିଆଯାଇଥିଲା ।

ପୂର୍ବରୁ ସୁରଜ ରାଜସ୍ଥାନର କୋଟାରେ ରହି ପାଠ ପଢ଼ୁଥିଲେ । ଦେଶବ୍ୟାପୀ କୋଭିଡ୍ ଲକଡାଉନ୍ ପରେ ମୋସମା ସ୍ଥିତ ଘରକୁ ପଳାଇ ଆସିଥିଲେ ସୁରଜ । ପରେ ଗାଁରେ ଡ୍ରେନକୁ ନେଇ ଝଗଡ଼ା  ଓ ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ।