କେଉଁଠୁ ଆସିଲା ‘ଜଙ୍ଗଲରାଜ୍’ ଶବ୍ଦ, କାହିଁକି ବିହାରରେ ହେଲା ରାଜନୈତିକ ମୁଦ୍ଦା

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ବିହାର ରାଜନୀତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ରଜନୈତିକ ମାହୋଲ ବେଶ ସରଗରମ ହେବାରା ଲାଗିଛି । ତେବେ ବିହାର ରାଜନୀତି କଥା ଯଦି କହିବା ତାହେଲେ ପ୍ରଥମେ ଆପଣ ଗୋଟିଏ ଶବ୍ଦ ବିଷୟରେ କହିବେ, ଯାହା ହେଉଛି ଜଙ୍ଗଲ ରାଜ । ସବୁବେଳେ ଏହି ଶବ୍ଦକୁ ନେଇ ରାଜନୈତିକ ଟାର୍ଗେଟ କରାଯାଉଥିବା ଆପଣମାନେ ଶୁଣିବାକୁ ପାଉଥିବେ । ତେବେ ଏହି ଶବ୍ଦକୁ ପ୍ରଥମେ କିଏ କହିଥିଲେ ? କେଉଁଠୁ ଆସିଛି ଏହି ଶବ୍ଦ?
ତେବେ ଆସନ୍ତୁ ଆମର ଏହି ଲେଖା ଜରିଆରେ ଜାଣିବା ଜଙ୍ଗଲ ରାଜ ଶବ୍ଦ ପଛର ଇତିହାସ । ଏହି ଶବ୍ଦକୁ କୌଣସି ରାଜନୈତିକ ବ୍ୟକ୍ତି କିମ୍ବା ଦଳ ପକ୍ଷରୁ କୁହାଯାଇନାହିଁ । ବରଂ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହି ଶବ୍ଦଟି ପ୍ରଥମେ ପାଟନା କୋର୍ଟରେ ଶୁଣିବାକୁ ମିଳିଥିଲା । ବିଚାରପତି ନିଜେ ଏହି ଶବ୍ଦର ବ୍ୟବହାର କରିଥିଲେ । ୨୫ ଜୁଲାଇ ୧୯୯୭ ମସିହାର କଥା । ଚାରା ଘୋଟାଲା ମାମଲାରେ ଫସିଥିଲେ ଲାଲୁ ଯାଦବ । ଜେଲ୍ ଯିବା ପୂର୍ବରୁ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ଶାସନ ଭାର ଦେଇ ଜେଲ ଯାଇଥିଲେ । ସେହି ବର୍ଷ ବିହାରରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା । ଏହାସହ ବର୍ଷାର ବିତ୍ପାତ ମଧ୍ୟ ଦେଖିବାକୁ ମିଳିଥିଲା ।
ଏମିତି ବର୍ଷା ହୋଇଥିଲା କି, ପୁରା ପାଟନା ସହର ବୁଡ଼ିଯାଇଥିଲା । ଅନେକ ଘରେ ପାଣି ପଶିବା ସହ ମଇଳା ପାଣି ପାଇଁ ଲୋକେ ବହୁ ହନ୍ତସନ୍ତ ହୋଇଥିଲେ । ତେବେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ବିଚାରପତି ବିପି ସିଂ ଏବଂ ଧରମପାଲ ସିହ୍ନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ । ଏହି ସମୟରେ କୁହାଯାଇଥିଲା କି, ବିହାରରେ ଏକ ସରକାର ନୁହେଁ ଜଙ୍ଗଲରାଜ ଚାଲିଛି । ସରକାର ପରିଚାଳନାରେ ବିଫଳ ହୋଇଥିବା ଲାଗି ଏଭଳି ଶବ୍ଦ ବ୍ୟବହାର କରାଯାଇଥିଲା ।
ତେବେ ପରବର୍ତ୍ତୀ ସମୟରେ ଏହି ଶବ୍ଦଟି ରାଜନୈତିକ ମୁଦ୍ଦା ପାଲଟି ଯାଇଥିଲା । ଯଦିଓ ୨୦୦୦ ମସିହାରେ ପୁଣିଥରେ ଆରଜେଡି ସରକାରକୁ ଆସିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ଶବ୍ଦକୁ ବ୍ୟବହାର କରି ନୀତିଶ କୁମାର ସରକାରକୁ ମଧ୍ୟ ଆସିପାରିଥିଲେ । ସେ ସ୍ଲୋଗାନରେ କହିଥିଲେ କି, ଜଙ୍ଗଲରାଜକୁ ହଟାଇ ସୁଶାସନ ଦିଆଯିବ । ଯଦିଓ ଏହି ଶବ୍ଦଟି ବହୁ ପୂର୍ବରୁ ଆସିଥିଲା ମାତ୍ର ଏବେ ମଧ୍ୟ ବିହାର ରାଜନୀତିରେ ଏହା ନିଆଁ ଲଗାଇଥାଏ । ୨୦ ବର୍ଷ ହେବ ସରକାରକୁ ଆସିପାରିନାହିଁ ଆରଜେଡି ।