ବିହାରରେ ଗଡ଼ବଡ ଏନଡିଏ ମେଣ୍ଟ

1 min read

ପାଟନା: ବିହାରରେ ଗଡ଼ବଡ ଏନଡିଏ ମେଣ୍ଟ । ଆସନ ବଣ୍ଟାକୁ ନେଇ ଲୋକ ଜନଶକ୍ତି ପାର୍ଟି ଅସନ୍ତୁଷ୍ଟ ଥିବାବେଳେ ଏଥିରେ ଏଣ୍ଟ୍ରି ମାରିଛି ଇଣ୍ଡିଆ ମେଣ୍ଟ । ଏନଡିଏ କଥାବାର୍ତ୍ତା ଅନୁସାରେ ବିହାରରେ ଚିରାଗ ପାଶ୍ବାନ ନେତୃତ୍ବାଧୀନ ଲୋକଜନଶକ୍ତି ପାର୍ଟି(ରାମବିଳାସ)କୁ ୬ଟି ଆସନ ଦିଆଯିବ । ହେଲେ ଚିରାଗଙ୍କୁ 8ଟି ଆସନ ଅଫର ଦେଇଛି ଇଣ୍ଡିଆ ମେଣ୍ଟ । କେବଳ ଏତିକି ନୁହେଁ ଉତ୍ତରପ୍ରଦେଶରେ ବି ୨ଟି ଯାଚିଛି ଇଣ୍ଡିଆ ମେଣ୍ଟ । ଏହାକୁ ନେଇ ହରଡ଼ଘଣାରେ ପଡିଛି ଏନଡିଏ । ସେପଟେ ଚିରାଗଙ୍କୁ ଦିଆଯାଇଥିବା ୬ ଆସନ ମଧ୍ୟରୁ ପଶୁପତି ପାରସଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିିକୁ ଏଥିରୁ କିଛି ଆସନ ଦେବା ସମ୍ଭାବନା ଥିବାରୁ କ୍ଷୁବ୍ଧ ଅଛନ୍ତି ଚିରାଗ । ୨୦୧୯ ଅନୁପାତ ଅନୁସାରେ ଅବିଭକ୍ତ ଲୋକ ଜନଶକ୍ତି ପାର୍ଟିକୁ ମୋଟ ୬ଟି ଆସନ ଦିଆଯାଇଥିବାରୁ ସେହି 6ଟି ଆସନ ଏବେ ଉଭୟ ଚିରାଗ ଓ ପଶୁପତିଙ୍କ ମଧ୍ୟରେ ବାଣ୍ଟିବାକୁ ଏନଡିଏ କହିଛି ।

ଗତ ୨୦୨୧ରେ ଲୋକଜନଶକ୍ତି ପାର୍ଟି ପ୍ରତିଷ୍ଠାତା ରାମବିଳାସ ପାଶ୍ବାନଙ୍କ ମୃତ୍ୟୁ ପରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଏନଡିଏ ସରକାରରେ ପଶୁପତିଙ୍କୁ କ୍ଯାବିନେଟ ମନ୍ତ୍ରୀ ପଦ ମିଳିବା ପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଚିରାଗ । ପୂର୍ବରୁ ୨୦୨୦ରେ ନୀତୀଶଙ୍କ ସହ ମତପାର୍ଥକ୍ୟ କାରଣରୁ ଏନଡିଏରୁ ବାହାରିଯାଇଥିଲେ ଚିରାଗ । ମାତ୍ର ନୀତୀଶ ମହାଗଠବନ୍ଧନରେ ସାମିଲ ହେବା ପରେ ପୁଣି ଏନଡିଏକୁ ଯାଇଥିଲେ ଚିରାଗ । ତେବେ କିଛି ଦିନ ତଳେ ଏନଡିଏକୁ ପୁଣି ନୀତୀଶ ଫେରିଥିବାରୁ ଏକ ଅଡୁଆ ସ୍ଥିତିରେ ପଡିଛନ୍ତି ଚିରାଗ । ସେପଟେ ହାଜିପୁର ଆସନକୁ ନେଇ ଉଭୟ ଦଦା-ପୁତୁରା ମଧ୍ୟରେ ବଢିଛି ବିବାଦ । ଏଠାରୁ ପଶୁପତି ଏବେ ସାଂସଦ ଥିବା ସତ୍ତ୍ବେ ନିଜର କର୍ମଭୂମି ବୋଲି ଦାବି କରି ଏହି ଆସନ ଦାବି କରିଛନ୍ତି ଚିରାଗ । ଗତ ୨୦୧୯ରେ ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ଲଢିଥିଲେ । ବିଜେପି ନିଜର ସମସ୍ତ ୧୭ ଆସନ ହାସଲ କରିଥିବାବେଳେ ଜେଡିୟୁ ୧୬ଟିରେ ବିଜୟୀ ହୋଇଥିଲା । କିଷନଗଞ୍ଜ ଆସନ କଂଗ୍ରେସ ହାତକୁ ଯାଇଥିଲା ।