ବିହାର ମହାଗଠବନ୍ଧନରେ ଜଟିଳ ହେଉଛି ଆସନ ବୁଝାମଣା : ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଆରମ୍ଭ ହେଲାଣି ବିବାଦ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ମହାଗଠବନ୍ଧନ ଅଧିକ ଶକ୍ତିଶାଳୀ ହୋଇଥିଲେ ବି ବଢିଛି ସମସ୍ୟା । ମହାଗଠବନ୍ଧନ ଲାଗି ନିର୍ବାଚନ ହେବ ଅଧିକ ଜଟିଳ । ମହାଗଠବନ୍ଧନରେ ଆଉ ଦୁଇ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପଶୁପତି ପାରସଙ୍କ ଆରଏଲଜେପି ସାମିଲ ହୋଇଥିବାରୁ ଆସନ ବଣ୍ଟନ ପ୍ରକ୍ରିୟା ଅଧିକ ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ମହାଗଠବନ୍ଧନରେ ୮ଟି ଦଳ ରହିଛନ୍ତି । ସେଗୁଡିକ ହେଲା ଆରଜେଡି, କଂଗ୍ରେସ, ସିପିଆଇ, ସିପିଏମ, ସିପିଆଇଏମ(ଏମଏଲ)ଲିବରେସନ, ଭିଆଇପି, ଆରଏଲଜେପି, ଜେଏମଏମ । କଂଗ୍ରେସ ୭୦ରୁ କମ ଆସନରେ ଲଢିବ ନାହିଁ ବୋଲି ଜିଦ୍ ଧରିରହିଛି । ଭିଆଇପି ନେତା ମୁକେଶ ସାହାଣୀ ୬୦ ଆସନ ଦାବି କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ଆସନ ଦାବି କରିଛି । ସିପିଆଇଏମଏଲ ଅତି କମରେ ୪୦ ଆସନ ଲାଗି ଦାବି କରିଛି । ସେପଟେ ଆରଜେଡି ୧୫୦ ଆସନ ଲାଗି ଜିଦ୍ ଧରିବସିଛି । ମୋଟ ବିଧାନସଭା ଆସନ ୨୪୩ ହୋଇଥିବାବେଳେ ମହାଗଠବନ୍ଧନ କିପରି ୮ଟି ଦଳକୁ ସନ୍ତୁଷ୍ଟ କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ଗତ ବିଧାନସଭା ନିର୍ବାଚନରେ ଆରଜେଡି ୧୪୪ଆସନରେ ଲଢି ହାସଲ କରିଥିଲା ୭୫ ଆସନ । କଂଗ୍ରେସ ୭୦ ଆସନରେ ଲଢି ପାଇଥିଲା ୧୯ ଆସନ । ସିପିଆଇଏମଏଲ ୧୯ ଆସନରେ ଲଢି ୧୨ ଆସନ ପାଇଥିବାବେଳେ ସିପିଏମ ୪ ଆସନରେ ଲଢି ପାଇଥିଲା ୨ ଆସନ । ସିପିଆଇ 6 ଆସନରେ ଲଢି ପାଇଥିଲା ୨ ଆସନ । ରାମବିଳାସ ପାଶଓ୍ବାନଙ୍କ ନାମରେ ଥିବା ଭୋଟ ତଥା ରାମବିଳାସଙ୍କ ଖଗରିଆ ସମ୍ପ୍ରଦାୟ ଭୋଟକୁ ବିଭାଜିତ କରିବାରେ ପଶୁପତି ସକ୍ଷମ ହେବା ଆଶା କରାଯାଉଥିବାରୁ ମହାଗଠବନ୍ଧନରେ ପଶୁପତି ପ୍ରମୁଖ ଭୂମିକା ନେବେ । ଖଖରିଆ ସମ୍ପ୍ରଦାୟବହୁଳ ଆଲାଉଲି ବିଧାନସଭା ଆସନରୁ ପଶୁପତି ପ୍ରତିନିଧିତ୍ବ ଅତୀତରେ କରିଥିବାରୁ ତାଙ୍କ ଉପରେ ବିଶେଷ ଭରସା କରିବ ମହାଗଠବନ୍ଧନ । ଯଦି ପଶୁପତିଙ୍କୁ ହାଜିପୁରରୁ ପ୍ରାର୍ଥୀ କରାଯାଏ ତେବେ ରାମବିଳାସଙ୍କ ନାଁରେ ଥିବା ଭୋଟ ବିଭାଜିତ ହେବା ଆଶା ରହିଛି । ଜେଏମଏମକୁ ବାଙ୍କା, ମୁଙ୍ଗେର ଓ ଭାଗଲପୁର ଆସନ ଦିଆଯାଇପାରେ । ପୂର୍ବରୁ ଭିଆଇପି ନେତା ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ତେଜସ୍ବୀ ଘୋଷଣା କରିଥିବାରୁ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଗତ ନିର୍ବାଚନରେ ଭିଆଇପି ୧୧ ଆସନ ଲଢିଥିବାବେଳେ ପାଇଥିଲା ୪ଟି ।