ପୁଣି ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା, ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯାଇପାରେ ଦିଲ୍ଲୀ ଏମ୍ସ

ରାଞ୍ଚି: ପୁଣି ବିଗିଢ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଆଜି ସନ୍ଧ୍ୟାରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯିବ । ଲାଲୁ ଯାଦବ ଆଜି ସନ୍ଧ୍ୟା ୩ରୁ ୫ଟା ମଧ୍ୟରେ ଦିଲ୍ଲୀ ଏମ୍ସ ଯିବେ । ଯାହା ଫଳରେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯିବ । ଲାଲୁ ଯାଦବଙ୍କ କ୍ରିଏଟିନାଇନ୍ ସ୍ତର ୪.୧ ରୁ ୪.୬କୁ ବୃଦ୍ଧି ପାଇଛି ବୋଲି କୁହାଯାଉଛି । ଲାଲୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି । ରିମ୍ସ ମେଡିକାଲ ବୋର୍ଡର ଡାକ୍ତରଙ୍କ ବୈଠକ ପରେ ତାଙ୍କୁ ଏମ୍ସକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ୨୧ ଫେବ୍ରୁଆରୀ ଲାଲୁ ପ୍ରସାଦ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଞ୍ଚିର ସ୍ବତନ୍ତ୍ର ସିବିଆଇ ଅଦାଲତ ୬୦ ଲକ୍ଷ ଟଙ୍କାର ଜରିମାନା ସହ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସବୁଠାରୁ ବଡ଼ ମାମଲା ଥିଲା । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କୁହାଯାଇଛି । ସିବିଆଇ ତରଫରୁ କହୁଯାଇଥିଲା କି ଲାଲୁ ଯାଦବ ଯେତେବେଳେ ଅର୍ଥ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରହିଥିଲେ ସେ ସମୟରେ ଗୋଖାଦ୍ୟ ଦୁର୍ନୀତି ହୋଇଥିଲା ।

ସୂଚନା ଅନୁସାରେ ଲାଲୁ ଯାଦବ ୨୦୧୩ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦ୍ୱିତୀୟ ମାମଲାରେ ୨୦୧୭ରେ, ତୃତୀୟ ଏବଂ ଚତୁର୍ଥ ମାମଲାରେ ୨୦୧୮ ଜାନୁଆରି ଏବଂ ମାର୍ଚ୍ଚରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଏସବୁ ମାମଲାରେ ଲାଲୁ ଜାମିନ ପାଇସାରିଛନ୍ତି । ପଞ୍ଚମ ତଥା ଚୂଡ଼ାନ୍ତ ମାମଲାରେ ତାଙ୍କୁ ୫ବର୍ଷ ଦଣ୍ଡାଦେଶ ମିଳିଥିଲା । ରାୟ ପ୍ରକାଶ ପରେ ଲାଲୁଙ୍କ ଲିଗାଲ ଟିମ୍ କହିଥିଲେ ଯେ ସେମାନେ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିବେ । ଏହି ମାମଲ‌ାରେ ମଧ୍ୟ ତାଙ୍କୁ ଜାମିନ ମିଳିଯିବ ବୋଲି ସେମାନେ କହିଥିଲେ ।