Bihar Judgement day : ନୀତିଶ ରହିବେ ନା ଯିବେ ,ତେଜସ୍ୱୀ ଦେଖାଇ ପାରିବେ ତେଜ ?

1 min read

ପାଟନା : ଏଗଜିଟ୍ ପୋଲ କହୁଛି ତେଜସ୍ୱୀଙ୍କ ରାଜ୍ୟାଭିଷେକ କଥା । ତେଜସ୍ୱୀଙ୍କ ନେତୃତ୍ୱରେ ୫ ଦଳକୁ ନେଇ ଗଠିତ ମହାମେଣ୍ଟ ନୀତିଶଙ୍କ ୧୫ ବର୍ଷ ଶାସନ ଉପରେ ଜବାନିକା ଟାଣିବ ବୋଲି କୁହାଯାଉଛି । କିନ୍ତୁ ସବୁଠୁ ବଡ କଥା ହେଲା ଏଗଜିଟ୍ ପୋଲର ବିଶ୍ୱସନୀୟତା । ୫ ବର୍ଷ ତଳେ ଏଗଜିଟ୍ ପୋଲ ଭୁଲ ସାବ୍ୟସ୍ତ ହୋଇଥିଲା । ସେତେବେଳେ ନୀତିଶ ଆରଜେଡି ସହ ମେଣ୍ଟ କରିଥିଲେ । କିନ୍ତୁ ଏଗଜିଟ୍ ପୋଲ ବିଜେପି ନେତୃତ୍ୱାଧିନ ଏନଡିଏକୁ ଦେଇଥିଲା ପୂର୍ଣ୍ଣ ବହୁମତ । ତେବେ ସେତେବେଳ କ୍ଷମତାକୁ ଆସିଥିଲା ଜେଡିୟୁ-ଆରଜେଡି ମେଣ୍ଟ ।

ବିହାରରେ ଆରଜେଡି କ୍ଷମତାକୁ ଆସିବ କି ନାହିଁ ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ନୀତିଶ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ମଧ୍ୟ ଜଣା ପଡିଯିବ । ତେବେ ସେଇ ସମୟ ମଧ୍ୟରେ ଅନୁମାନର ବଜାର ଗରମ ରହିବ । ଏବେ ମଧ୍ୟ ବିଶେଷଜ୍ଞ ନୀତିଶଙ୍କୁ ସ୍ପେଣ୍ଟ୍ ଫୋର୍ସ ବୋଲି ଗ୍ରହଣ କରିବାକୁ ରାଜି ନାହାନ୍ତି । ଏହାର କାରଣ ଭାବେ ସେମାନେ ଏନଡିଏ ଭୋଟରଙ୍କ ଚରିତ୍ରକୁ ନିଅନ୍ତି । ଏନଡିଏ ଭୋଟର ବିହାରରେ ସାଇଲେଣ୍ଟ୍ ବା ନିରବ ଥାଏ । କିନ୍ତୁ ଆରଜେଡି ଭୋଟର ଭୋକାଲ ଥାଏ । କୁହାଯାଉଛି ଯେ, ନୀତିଶଙ୍କ ଭୋଟର ଚୁପଚାପ ଭୋଟ ଦିଅନ୍ତି । ଏଗଜିଟ୍ ପୋଲରେ ଆରଜେଡି ଭୋଟର ଅଧିକ ଭୋକାଲ ଥିବାରୁ ଏଭଳି ଫଳାଫଳ ଆସୁଛି ।

ତେବେ ସତ ହେଉଛି ମାତ୍ର କେଇ ଘଣ୍ଟା ପରେ ସାଇଲେଣ୍ଟ ଭୋଟର ନୀତିଶଙ୍କୁ ଚତୁର୍ଥ ପାଳି ପାଇଁ ସମର୍ଥନ ଦେଇଛନ୍ତି କି ନାହିଁ ତାହା ଜଣା ପଡିଯିବ । ନୀତିଶଙ୍କ ସବୁ ଆଶା ମହିଳା ଓ ପଛୁଆ ବର୍ଗରେ ଥିବା ଅତି ପଛୁଆ ବର୍ଗ ଭୋଟରଙ୍କ ଉପରେ ନିର୍ଭର କରୁଛି । ତେଣୁ ନୀତିଶ ସମର୍ଥକ ଭାବୁଛନ୍ତି ଯେ, ମହିଳା ଓ ପଛୁଆ ବର୍ଗ ଭୋଟର ଭୋଟ କରିବା ପରେ ଚୁପ ଅଛନ୍ତି । ତେଜସ୍ୱୀଙ୍କ ରୋଜଗାର ନାରା ଯୁବା ଭୋଟରଙ୍କୁ ଆକୃଷ୍ଟ କରିଛି ସତ କିନ୍ତୁ ସେମିତି ପ୍ରଭାବ ପକାଇବ ନାହିଁ ବୋଲି ଏନଡିଏରେ ଆଶା ।

କିନ୍ତୁ ଯଦି ଆରଜେଡିର ଭୋକାଲ ଭୋଟର ,ସେଇ ଭୋଟର ଯେଉଁମାନେ ତେଜସ୍ୱୀଙ୍କ ରାଲିରେ ବଢିଚଢି ଭାଗ ନେଉଥିଲେ ଯଦି ଭୋଟରେ ପରିବର୍ତ୍ତିତ ହୁଏ ତେବେ ବାପାଙ୍କପ୍ରତିଶୋଧ ପୁଅ ନେବେ । ୨୦୦୫ରେ ଆରଜେଡିର ୧୫ ବର୍ଷର ଶାସନର ଅନ୍ତ ନୀତିଶ କରିଥିଲେ । ଏବେ ତେଜସ୍ୱୀ,ନୀତିଶଙ୍କ ୧୫ ବର୍ଷର ଶାସନର ଅନ୍ତ କରୁଛନ୍ତି କି ନାହିଁ ତାହା ମାତ୍ର କେଇ ଘଣ୍ଟାର ପ୍ରଶ୍ନ ।

Leave a Reply