ହାଜିପୁର ଆସନରେ ହେବ ଦାଦା-ପୁତୁରା ଲଢ଼େଇ!

ନନ୍ଦିଘୋଷ ବ୍ୟୁରୋ: ବିହାରର ହାଜିପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ଚିରାଗ ପାଶଓ୍ବାନ । ସେ ଏନେଇ ଘୋଷଣା କରିବା ପରେ ବିହାର ରାଜନୀତିରେ ଆରମ୍ଭ ହୋଇଛି ହଟଚମଟ । କାହିଁକି ନାଁ ହାଜିପୁର ଆସନରେ ଏବେ ସାଂସଦ ଅଛନ୍ତି ଚିରାଗଙ୍କ ଦାଦା ପଶୁପତି ପାରସ । ବିହାରରେ ବିଜେପିର ଆସନ ଭାଗବଣ୍ଟା ସରିଥିବାବେଳେ ଚିରାଗଙ୍କ ଦଳକୁ ୫ଟି ଆସନ ମିଳିଥିବାବେଳେ ପଶୁପତିଙ୍କୁ ଗୋଟିଏ ମଧ୍ୟ ଆସନ ମିଳିନାହିଁ । ଯାହାକୁ ନେଇ ପଶୁପତି ରାଗିଥିବା କୁହାଯାଉଛି । ଏଣୁ ସେ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇପାରନ୍ତି । ଯଦି ଏହି ଆସନରୁ ନିର୍ବାଚନ ଲଢ଼ନ୍ତି ତାହେଲେ ଦାଦା ପୁତୁରାଙ୍କ ମଧ୍ୟରେ ହେବ ଲଢ଼େଇ ।

ତେବେ ପଶୁପତିଙ୍କୁ ନେଇ ଏକ ପ୍ରତିକ୍ରିୟାରେ ଚିରାଗ କହିଛନ୍ତି କି, ସେ (ପଶୁପତି) କହିଛନ୍ତି କି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିବି । ଏଣୁ ଏଭଳି ଏକ ସମୟରେ ସେ ନିଷ୍ପତ୍ତି ନେବା ଦରକାର କି, ୪୦୦ ପାର ଲଢ଼େଇରେ ଏନଡିଏକୁ ସମର୍ଥନ କରିବା ଉଚିତ । ମୋର କୌଣସି ସ୍ଥାନରେ କିଛି ଅସୁବିଧା ନାହିଁ । ହାଜିପୁର ମୋ ପିତାଙ୍କ ଆସନ ଅଟେ । ସେ ଏଠାକାର ଲୋକଙ୍କ ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି । ଯାହାକୁ ପୂରଣ କରିବା ମୋର କର୍ତ୍ତବ୍ୟ । ଚିରାଗଙ୍କ ପିତା ରାମ ଭିଲାସ ପାଶଓ୍ବାନ ହାଜିପୁର ଆସନରୁ ୯ଥର ସାଂସଦ ହୋଇଛନ୍ତି । ହାଜିପୁର ଆସନ ପାଶଓ୍ବାନ ପରିବାରର ଗଡ଼ଭାବେ ପରିଚିତ । ତେବେ ପଶୁପତି ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।