ବିହାର ନିର୍ବାଚନ, ‘ପୁଣି ୩୭୦ ଧାରା ଲାଗୁ କରିବାକୁ ଚାହୁଁଥିବା ଲୋକ କେଉଁ ମୁହଁରେ ଭୋଟ୍ ମାଗୁଛନ୍ତି’: ପ୍ରଧାନମନ୍ତ୍ରୀ

1 min read

ବିହାର: ବିହାରରେ ଆଜି ହାଇ-ଭୋଲଟେଜ୍ ପ୍ରଚାରର ମାହୋଲ ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ଜାତୀୟ ଚେହେରା ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ଆଜି ବିହାର ସାସାରାମରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶ ବିରୋଧୀ କାର୍ଯ୍ୟରେ ଜଡିତ ଥିବା ଗୋଷ୍ଠୀ ସହ କଂଗ୍ରେସର ସଂପୃକ୍ତି ସବୁବେଳେ ଦେଶର ପ୍ରଗତୀରେ ବାଧକ ସାଜିଛି । ସେହିଭଳି ସାରା ଦେଶ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ପାହ୍ୟା ହଟାଇବାର ଆସ୍ପର୍ଦ୍ଧା କେବେଠାରୁ ରଖିଥିଲା ତାହା ସମସ୍ତେ ଜାଣନ୍ତି । କୌଣସି ସରକାର ଏହି ଧାରା ଉଠାଇବାର ସତସାହାସ କରିନଥିଲେ । ମାତ୍ର ଏସବୁ ସମ୍ଭବ ହେଲା ବିଜେପି ସରକାରରେ । ଜମ୍ମୁକଶ୍ନୀରରୁ ୩୭୦ ଧାରା ହଟାଇ ଆମେ ଦେଶବାସୀଙ୍କର ବହୁ ପ୍ରତୀକ୍ଷିତ ଆକାଂକ୍ଷାକୁ ପୂରଣ କରିଛୁ ।

ସେହିଭଳି ମୋଦୀ କହିଛନ୍ତି ଯେ, ବିରୋଧୀ କହୁଛନ୍ତି, ଯଦି କ୍ଷମତାକୁ ଆସନ୍ତି ତେବେ ପୁଣି ଥରେ ଧାରା ୩୭୦ ଲାଗୁ କରିବେ । ତେବେ ଦେଶ ଏହି ଧାରା ଉଚ୍ଛେଦକୁ ସମର୍ଥନ ଦେଉଥିବା ବେଳେ ବିରୋଧୀଙ୍କ ବିପରିତମୁଖୀ ଆଭିମୁଖ୍ୟ କେତେ ଯଥାର୍ଥ, ତାହା ବିହାରବାସୀ କହିବେ । ଜମ୍ମୁ କଶ୍ମୀର ବିବାଦର ସମାଧାନ ହୋଇ ସାରିଛି ଏବେ ବିହାରରେ ମୁଦ୍ଦା- କେବଳ ବିକାଶର । ସମ୍ପୂର୍ଣ୍ଣ ବିହାରରେ ବିଦ୍ୟୁତ୍, ସଡ଼କ, ପାନୀୟ ଜଳ ଭଳି ମୌଳିକ ସୁବିଧା ଦୀର୍ଘ ଦିନ ଧରି ଅପହଞ୍ଚ ହୋଇ ରହିଥିଲା । ନୀତିଶ ସରକାର କ୍ଷମତାସୀନ ହେବା ପରେ ଏସବୁ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତୀ ହୋଇଛି । ଆଗାମୀ ସମୟରେ ବିହାର ନିଜର ସ୍ୱତନ୍ତ୍ର ପରିଚୟ ପ୍ରସ୍ତୁତ କରିବ । ଏଥିପାଇଁ ଏନଡିଏ ସରକାର ପାଇଁ ବିହାରବାସୀଙ୍କର ଅକୁଣ୍ଠ ସମର୍ଥନ ଓ ଆସ୍ଥା ରହିବା ଦରକାର ।

ସେହିଭଳି ନିଜ ଅଭିଭାଷଣରେ ମୋଦି କୃଷି ବିଲ୍ ପ୍ରସଙ୍ଗ ଉପରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଚାଷୀ ଓ ଚାଷର ବିକାଶ ପାଇଁ ଚିନ୍ତା କରୁଥିବା ସରକାରକୁ ବିରୋଧୀ ବିନା ତର୍କରେ ବିରୋଧ କରୁଛନ୍ତି । ଆମେ ଦଲାଲଗିରିର ଅନ୍ତ କରିବାକୁ ଚାହୁଁଛୁ ଓ ଚାଷୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ, ମାତ୍ର ବିରୋଧୀ ଚାଷୀଙ୍କ ସ୍ୱାର୍ଥରେ ନାହାନ୍ତି ।  ମଣ୍ଡି ଏବଂ ଏମଏସପିର ବାହାନା କରି ଏକ ଯୁଗାନ୍ତକାରୀ ଆଇନକୁ ବିରୋଧ କରୁଛନ୍ତି ।

ତେବେ କୃଷି ଆଇନ ଆଣିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚାଷୀକୁ ତା ହକ୍ ଦେବା ଓ ମଧ୍ୟସ୍ଥିଙ୍କୁ ସମାପ୍ତ କରିବା । ସେହିଭଳି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବା ବେଳେ ହେଉ କିମ୍ୱା ରାଫେଲକୁ ଭାରତ ଆଣିବା ବେଳେ ହେଉ, ବିରୋଧୀ କେବଳ ବିରୋଧ କରୁଛନ୍ତି । ଏକ ଗଠନମୂଳକ ସମାଲୋଚନାଠାରୁ ଦୂରରେ ରହି ଜନସାଧାରଣଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ନିଜ ଅଭିଭାଷଣରେ ମୋଦି ଏକ ସଶକ୍ତ ଓ ନୂଆ ବିହାରର କଥା କହିଥିବା ବେଳେ ଏନଡିଏ ସପକ୍ଷରେ ଜନାଦେଶର ପ୍ରାର୍ଥନା କରିଛନ୍ତି ଓ ଭାରତ ବିରୋଧୀ ସ୍ୱରକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave a Reply