ବିହାର କଂଗ୍ରେସ ବିଧାୟକଙ୍କ ବୈଠକରେ ହଙ୍ଗାମା, ଗାଳି ସହ ଚାଲିଲା ମୁଥ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ନୂଆ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲାଣି । ହାତକୁ କ୍ଷମତା ଆସୁ ଆସୁ କେମିତି ଚାଲିଗଲା ତାକୁ ନେଇ ଗତକାଲି ମହାମେଣ୍ଟର ନେତା ମାନେ ମାନସ ମନ୍ଥନ କରିଥିଲେ । ଆଜି କିନ୍ତୁ ପାଟନାରେ ବିହାର କଂଗ୍ରେସର ନବନିର୍ବାଚିତ ବିଧାୟକ ମାନେ ଗୋଟିଏ ପାଦ ଆଗକୁ ଯାଇ ବୈଠକରେ ମାନସ ମନ୍ଥନ ବଦଳରେ ମାରପିଟ୍ କରିଛନ୍ତି । ବିଧାୟକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ତା’ପରେ ମାରପିଟ୍ ହୋଇଥିଲା ।

ସୂଚନା ଅନୁସାରେ ବୈଠକ ମଝିରେ କେହି ଜଣେ ବିଧାୟକ ବିଜୟ ଶଙ୍କର ଦୁବେଙ୍କୁ ‘ଚୋର’ ବୋଲି ସମ୍ବୋଧନ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତୁ ତୁ ମୈଁ ମୈଁରୁ ଆରମ୍ଭ ହୋଇଥିବା ଝଗଡା ହାତାହାତି ପର୍ଯ୍ୟନ୍ତ ଚାଲିଯାଇଥିଲା । ବିଧାୟକ ସିଦ୍ଧାର୍ଥଙ୍କ ସମର୍ଥକ ମାନେ ଦୁବେଙ୍କୁ ଚୋର କହିବାକୁ ହଙ୍ଗାମା ଆରମ୍ଭ ହୋଇଥିଲା । ମହାରାଜଗଂଜରୁ ନିର୍ବାଚିତ ବିଜୟ ଶଙ୍କର ଓ ବିକ୍ରମରୁ ନିର୍ବାଚିତ ସିଦ୍ଧାର୍ଥଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାକୁ ନେଇ ଝଗଡା ଆରମ୍ଭ ହୋଇଥିଲା ।

ବିହାରରେ ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସକୁ ଦାୟୀ କରାଯାଉଛି । କଂଗ୍ରେସ ୭୦ ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ ମାତ୍ର ୧୯ ସିଟ୍ ଜିତି ପାରିଛି । ଅନ୍ୟପକ୍ଷରେ ବାମ ଦଳ ଗୁଡିକୁ କମ୍ ସିଟ୍ ମିଳିଥିଲେ ମଧ୍ୟ ସେମାନଙ୍କ ଷ୍ଟ୍ରାଇକ୍ ରେଟ୍ ଭଲ ରହିଛି । କଂଗ୍ରେସକୁ ଦିଆଯାଇଥିବା ସିଟ୍ କମ କରି ବାମ ଦଳ କିମ୍ବା ଆରଜେଡିକୁ ଦିଆଯାଇଥିଲେ ଫଳାଫଳ ଅଲଗା ହୋଇଥାନ୍ତା ବୋଲି କୁହାଯାଉଛି । ମେଣ୍ଟ ଭିତରେ ଏପରିକି କଂଗ୍ରେସ ନେତା ମଧ୍ୟ ବିହାର କଂଗ୍ରେସକୁ ୭୦ ସିଟ୍ ଦେବା ଠିକ୍ ନଥିଲା ବୋଲି କହୁଛନ୍ତି । ମେଣ୍ଟ ହାତରୁ ମୁଖ୍ୟମନ୍ତ୍ରୀ ଚୌକି ଖସି ଯାଇଥିବା ବେଳେ ବିଧାୟକ ଦଳ ନେତା ହେବାକୁ ନେଇ ଯେଉଁ ହଙ୍ଗାମା ହୋଇଛି ସେଥିରୁ କଂଗ୍ରେସର ସବୁକିଛି ଠିକ୍ ନଥିବା ଜଣା ପଡୁଛି ।

Leave a Reply