ବିହାର ନିର୍ବାଚନ ଲାଗି ମହାଗଠବନ୍ଧନରେ ଚାଲିଛି ଆସନ ବୁଝାମଣା

1 min read

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ମହାଗଠବନ୍ଧନରେ ଚାଲିଛି ଆସନ ବୁଝାମଣା । ସମ୍ଭବତଃ ୨୦୨୦ ନିର୍ବାଚନ ବେଳେ ହୋଇଥିବା ଆସନ ବୁଝାମଣାକୁ ଚଳିତ ନିର୍ବାଚନରେ ଗ୍ରହଣ କରାଯାଇପାରେ । ଏନେଇ କଂଗ୍ରେସ ଓ ଆରଜେଡି ମଧ୍ୟରେ ଚାଲିଛି କଥାବାର୍ତ୍ତା । ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ । ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେହିପରି ମହାଗଠବନ୍ଧନରେ ଥିବା ସିପିଆଇଏମଏଲ 19 ଆସନରେ ଲଢି 12ଟିରେ ବିଜୟୀ ହୋଇଥିଲା । ସିପିଆଇ ୬ ଆସନରେ ଲଢି ୨ ଆସନରେ ଏବଂ ସିପିଏମ ୪ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ ବିଜେପି ସର୍ବାଧିକ ୭୯ ଆସନ ଲାଭ  କରିଥିବାବେଳେ ଆରଜେଡି ଦ୍ବିତୀୟ ସର୍ବାଧିକ ୭୭ ଆସନ ହାସଲ କରିଥିଲା । ଏ ଦୃଷ୍ଟିରୁ ଚଳିତ ଥର କଂଗ୍ରେସକୁ ୫୦ରୁ ୫୫ ଆସନ ଦେବାକୁ ଚାହୁଁଛି ଆରଜେଡି । ଚଳିତ ଥର ମହାଗଠବନ୍ଧନରେ ମୁକେଶ ସାହନିଙ୍କ ବିକାଶଶୀଳ ଇନସାନ ପାର୍ଟି ଓ ପଶୁପତି କୁମାର ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ସାମିଲ କରାଯିବା ସମ୍ଭାବନା ଥିବାରୁ ଆସନ ବୁଝାମଣା ଅଧିକ ଜଟିଳ ହୋଇପାରେ । ତେଣୁ କଂଗ୍ରେସକୁ କମ୍ ଆସନ ଦେଲେ ହିଁ ଏହି ଦୁଇ ଦଳକୁ ସନ୍ତୁଷ୍ଟ କରାଯାଇପାରିବ ବୋଲି ଚର୍ଚ୍ଚ ଚାଲିଛି । ଏଦୃଷ୍ଟିରୁ ଆରଜେଡି ଅତି କମରେ ୧୪୦ ଆସନ ଲଢିବା ନିଶ୍ଚିତ ହୋଇଛି । ବିକାଶଶୀଳ ଇନସାନ ପାର୍ଟିକୁ ୧୨ ଆସନରେ ଲଢିବା ଲାଗି କୁହାଯାଇପାରେ । ଗତ ନିର୍ବାଚନରେ ଏନଡିଏରେ ସାମିଲ ଥିବା ଏହି ଦଳ ୧୧ ଆସନ ଲଢି ମାତ୍ର ୪ ଆସନରେ ବିଜୟୀ ହୋଇଥିଲା । ସେହିପରି ପଶୁପତିଙ୍କ ଦଳକୁ ସର୍ବାଧିକ ୩ ଆସନ ଦିଆଯାଇପାରେ । ମହାଗଠବନ୍ଧନରେ AIMIMକୁ ସାମିଲ କରାଯାଇ ନପାରେ ।