ତେଜିଲା ନିଟ୍ ରାଜନୀତି; ବିହାର ଉପ ମୁଖ୍ୟମନ୍ତ୍ରୀଙ୍କ ଦାବି, ପେପର ଲିକ୍ ପଛରେ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ଲିଙ୍କ

ପାଟନା: ନିଟ୍ ପରୀକ୍ଷା ପେରର ଲିକ୍ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ପଦାକୁ ଆସୁଛି । ଏହାସହ ପ୍ରତିଦିନ କିଛି ନା କିଛି ନୂଆ ଅଭିଯୋଗ ମଧ୍ୟ ଆସୁଛି । ଏହି ମାମଲା ଏବେ କୋର୍ଟରେ ଥିବା ବେଳେ ଯାଞ୍ଚ ପ୍ରକ୍ରିୟାର ପରିସର ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଏହି ମାମଲାରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ପାଟନାର ଜଣେ ଛାତ୍ର ପେପର୍ ଲିକ୍ ସ୍ବୀକାର କରିବା ପରେ ଏହା ରାଜନୈତିକ ରଙ୍ଗ ନେବା ଆରମ୍ଭ କରିଦେଇଛି । ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏହି ଘଟଣାକୁ ନେଇ ଲାଲୁ ଯାଦବଙ୍କ ପରିବାର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ପେପର ଲିକର ଲିଙ୍କ୍ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ରହିଥିବା ବିଜୟ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ନିଟ୍ ପେପର ଲିକ୍ ଅଭିଯୁକ୍ତ ସିକନ୍ଦର ୟାଦୁବେନ୍ଦ୍ର ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାର ଯାଦବଙ୍କ ନିର୍ଦ୍ଦେଶରେ ଗେଷ୍ଟ ହାଉସ୍ ବୁକ୍ କରାଯାଇଥିଲା । ପ୍ରୀତମ କୁମାର ଗେଷ୍ଟ ହାଉସ୍ ବୁକ କରିବାକୁ ପ୍ରଥମେ ମେ’ ୧ ତାରିଖ ୯ଟା ୭ ମିନିଟରେ କଲ୍ କରିଥିଲେ । ଏହାପରେ ୪ ମେ’କୁ ଦ୍ବିତୀୟ ଥର ଫୋନ କରିଥିଲେ ।

ସେ ଆଗକୁ କହିଛନ୍ତି, ପ୍ରୀତମ କୁମାର ସିକନ୍ଦର ପାଇଁ ଗେଷ୍ଟ ହାଉସ୍ ବୁକ କରିବାକୁ ଚାପ ପକାଇଥିଲେ । ଜଣେ ଅଧିକାରୀ ସ୍ବୀକାର କରିଛନ୍ତି ଗେଷ୍ଟ ହାଉସ ବୁକ କରିବାକୁ ପ୍ରୀତମ ଚାପ ପକାଇଥିଲେ । ପ୍ରଥେମ ତାଙ୍କ ଫୋନକୁ ଗୁରୁତ୍ବର ସହ ନିଆଯାଇନଥିଲା । ହେଲେ ଦ୍ବିତୀୟ ଥର ଫୋନ କରି ସେ ଗେଷ୍ଟ ହାଉସ୍ ବୁକ୍ କରାଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବିଜୟ ଏହି ଅଭିଯୋଗ ଆଣିବା ସହ ସେହିଠାରେ ହିଁ ପିଡବ୍ଲୁଡିର ତିନି ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି । ଏହି ଗେଷ୍ଟ ହାଉସଟି ପିଡବ୍ଲୁଡି ଅଧୀନରେ ଆସୁଛି । ବିନା ଆବଣ୍ଟନରେ ଏହି ଅଧିକାରୀମାନେ ସିକନ୍ଦରଙ୍କୁ ଗେଷ୍ଟ ହାଉସରେ ରହିବାକୁ ଅନୁମତି ଦେଇଥିଲେ । ଏହାସହ ପ୍ରାୟ ଗୋଟେ ସପ୍ତାହ ହେବ ନିଟ୍ ପେପର ଲିକ୍ ମାମଲା ଚର୍ଚ୍ଚାରେ ଥିବା ବେଳେ ଏମାନେ ଚୁପ ରହିଥିଲେ ।

ଆଗକୁ ବିଜୟ ସିହ୍ନା କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ସବୁ ଗେଷ୍ଟରେ କିଏ କିଏ ରହିଥିଲେ ତାହାର ତଥ୍ୟ ମଗା ଯାଇଛି । ଯଦି ତେଜସ୍ବୀଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ ଚାପ ପକାଇ ଏଠାରେ ଲୋକଙ୍କୁ ରହିବାର ବ୍ୟବସ୍ଥା କରିଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।