ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ପ୍ରଶଂସା କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲେଖା : କହିଲେ, ନବୀନ ଜଣେ ଭିନ୍ନ ରାଜନେତା

1 min read

ଭୁବନେଶ୍ୱର: ପୁଣି ନବୀନଙ୍କ ପ୍ରଶଂସା । ଏଥର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ।ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ଜନତାଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି ନବୀନ । ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ ଲାଗି ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହି ଆସିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ ‘କାଳିଆ’ ଯୋଜନା ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ସର୍ବଦା ବ୍ରତୀ ହୋଇଆସିଛନ୍ତି ବିଜେଡି ସୁପ୍ରିମୋ ।
କରୋନାର ଦ୍ୱିତୀୟ ପ୍ରବାହରେ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ସାରାଦେଶ ଏଥିପାଇଁ ନବୀନଙ୍କ ପ୍ରତି କୃତଜ୍ଞ ହୋଇଥିଲା । ଓଡ଼ିଶାର ଏହି ଜନପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରଶଂସା କେବେ ପ୍ରଭାବିତ କରିପାରିନାହିଁ । ସମାଲୋଚନାରେ ବି ବିବ୍ରତ ହୁଅନ୍ତି ନାହିଁ । କଥା ଅପେକ୍ଷା କାମରେ ବିଶ୍ୱାସ କରୁଥିବା ନବୀନ ବାବୁଙ୍କୁ ଏବେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବ୍ୟକ୍ତିତ୍ୱ ଓ ପ୍ରାଶାସନିକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରି ଇଣ୍ଡିଆ ଟୁଡେରେ ଏକ ଲେଖା ଲେଖିଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏପରି ଲେଖ। ଲେଖିବା ବିରଳ । ବାତ୍ୟା ମୁକାବିଲା ହେଉ ବା କ୍ରୀଡ଼ା ଓ ପର୍ଯ୍ୟଟନର ବିକାଶ ହେଉ, ଓଡିଶାର ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକ ପରିବର୍ତ୍ତନ ଆଣିଛନ୍ତି ବୋଲି ନୀତୀଶ ଲେଖିଛନ୍ତି । ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ ବୋଲି ନୀତୀଶ ଲେଖିଛନ୍ତି ।

ସମ୍ମାନନୀୟ ବିଜୁ ବାବୁଙ୍କ ପୁଅ ଭାବେ ରାଜନୀତିକୁ ପ୍ରବେଶ କରିଥିବା ବେଳେ ଗତ ୨୪ ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି । କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ଏବେ ମଧ୍ୟ ରାଜ୍ୟ ତଥା ଦେଶ ପାଇଁ ତାଙ୍କ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ସମାନ ରହିଛି ।

Leave a Reply