ପୋଲିସ ଲାଇନରେ ଫୁଟିଲା ଗୁଳି: ସହକର୍ମୀଙ୍କୁ ୧୧ ରାଉଣ୍ଡ ଗୁଳି ମାରି ହତ୍ୟା କଲେ କନଷ୍ଟେବଳ
1 min read
ନନ୍ଦିଘୋଷ ବ୍ୟୁରୋ: ରକ୍ତ ରଞ୍ଜିତ ହେଲା ବିତେୟା ପୋଲିସ ଲାଇନ୍ । ଜଣେ ପୋଲିସ କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆଉ ଜଣେ ପୋଲିସ କର୍ମୀ । ଅଭିଯୁକ୍ତ ପୋଲିସ କର୍ମୀ ଜଣଙ୍କ ମୃତକଙ୍କୁ ଉପରକୁ ନିଜ ଇଂସାସ ରାଇଫଲରୁ ୧୧ ରାଉଣ୍ଡ ଗୁଳି ମାରିଛନ୍ତି । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କନଷ୍ଟେବଳ ସୋନୁ କୁମାର । ଅଭିଯୁକ୍ତ ଜଣଙ୍କ ହେଲେ କନଷ୍ଟେବଳ ସର୍ବଜିତ ।
ସୂଚନା ଅନୁସାରେ, ଗତରାତି ପ୍ରାୟ ୧୦ଟାରେ ଯେତେବେଳେ ପୋଲିସ କର୍ମଚାରୀମାନେ ଡ୍ୟୁଟି ସାରି ଫେରିବା ପରେ ଆରାମ କରୁଥିଲେ । ଏହି ସମୟରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଅଭିଯୁକ୍ତ ଗୁଳି ମାଡ଼ କରିବା ପରେ ନିଜ ରାଇଫଲ ଧରି ପୋଲିସ ଲାଇନ୍ର ଛାତ ଉପରକୁ ଚଢ଼ି ଯାଇଥିଲେ । ଏହାପରେ ବନ୍ଧୁକକୁ ହଲାଇ ଚିଲ୍ଲାଇବା ସହ ଆତ୍ମସମର୍ପଣ କରିବାକୁ ରାଜି ହୋଇ ନଥିଲା । ସର୍ବଜିତଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ପରେ ତାଙ୍କୁ ଗିରଫ କରାଯିବା ସହ ମୋଫୁସିଲ ଥାନାକୁ ନିଆଯାଇଥିଲା । ସେଠାରେ ଏସଡିପିଓ ତାଙ୍କୁ ପଚରାଉଚରା କରୁଛନ୍ତି ।
ଚମ୍ପାରଣ ରେଞ୍ଜ ଡିଆଇଜି ହରକିଶୋର ରାୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି, ନିଜ ଭିତରେ ଥିବା ବାଦ ବିବାଦରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ତେବେ ଆମେ ସମସ୍ତ ଦିଗକୁ ନେଇ ଯାଞ୍ଚ କରୁଛୁ । uଦି ଡ୍ୟୁଟିକୁ ନେଇ ମାନସିକ ଚାପ କି ଅନ୍ୟ କିଛି କାରଣ ଜଣାପଡିବ ଆମେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ।
ପୋଲିସ ସୂତ୍ରରୁ ପ୍ରକାଶ, ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଏହା ୟୁନିଟର ଅନ୍ୟ କର୍ମଚାରୀମାନେ ମଧ୍ୟ ଜାଣିଛନ୍ତି । କିଛିଦିନ ପୂର୍ବରୁ ଉଭୟଙ୍କ ପୋଷ୍ଟିଂ ସିକଟା ଥଶନାରୁ ବେତିୟା ପୋଲିସ ଲାଇନକୁ ହୋଇଥିଲା । ଗୋଟିଏ ବ୍ୟାରେକରେ ରହିବା ଓ ଗୋଟିଏ ୟୁନିଟରେ କାମ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ବିବାଦ ହିଂସ୍ର ରୂପ ନେବାର ଆଶଙ୍କା ଥିଲା । ଯାହା ଗତ ରାତିରେ ଜଣଙ୍କ ଜୀବନ ଯାଇ ଶେଷ ହୋଇଛି ।