ବିଧାୟକଙ୍କୁ ସୁରକ୍ଷା କର୍ମୀଙ୍କ ଆକ୍ରମଣ, ‘କ୍ଷମା ମାଗନ୍ତୁ ନୀତିଶ କୁମାର’

ପାଟନା: ବିହାର ବିଧାନସଭାର ବିଧାୟକଙ୍କ ପ୍ରତି ସୁରକ୍ଷା କର୍ମୀଙ୍କ ଆଚରଣ ଘଟଣାକୁ ନିନ୍ଦା କରୁଛି ଦେଶ । ଏପରି କଳଙ୍କିତ ଅଧ୍ୟାୟକୁ ସବୁ ମହଲରୁ ନିନ୍ଦା କରାଯାଇଛି । ମଙ୍ଗଳବାର ବିଧାନସଭାରେ ଜନ ପ୍ରତିନିଧିଙ୍କ ପ୍ରତି ସୁରକ୍ଷାକର୍ମୀଙ୍କ ବ୍ୟବହାର ପ୍ରସଙ୍ଗରେ ନୀତୀଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ଆରଜେଡି ।

ଆରଜେଡି ନେତା ତେଜସ୍ବୀ ଯାଦବ ଘଟଣାକୁ ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ନ ମାଗିଛନ୍ତି ଏବଂ ଘଟଣାରେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ବିରୋଧୀ ବିଧାୟକ ବିଧାନସଭାର ମାଟି ମାଡିବେ ନାହିଁ ବୋଲି କହିଛନ୍ତି ତେଜସ୍ବୀ ।

ମହିଳା ଓ ବରିଷ୍ଠ ବିଧାୟକଙ୍କ ପ୍ରତି ବ୍ୟବହାର ସଭିଙ୍କୁ ଅତିଷ୍ଠ କରିଛି ଏଣୁ ସରକାର ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏ ନେଇ ଆଜି ଗୋଟିଏ ପରେ ଗୋଟିଏ ଟ୍ବିଟ୍ କରିଥିଲେ ଆରଜେଡି ନେତା ତେଜସ୍ବୀ ଯାଦବ । ସେପଟେ ସଂସଦ ବାହାରେ ମଧ୍ୟ ଏ ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଥିଲା । ଆହତ ହୋଇଥିବା ବିଧାୟକଙ୍କ ଚିକିତ୍ସା ଚାଲିଛି ।

Leave a Reply