spot_img

Latest Posts

ବିହାର ରାଜନୀତିରେ ବାହୁବଳୀ, କେଉଁଠି ନିଜେ ତ ନ ହେଲେ ପତ୍ନୀଙ୍କୁ କରିଛନ୍ତି ପ୍ରାର୍ଥୀ

ପାଟନା : ଆଉ କିଛିଦିନ ପରେ ବିହାରରେ ଅନୁଷ୍ଠିତ ହେବାକୁ ବିଧାନସଭା ନିର୍ବାଚନ। ଭାରତୀୟ ରାଜନୀତିରେ ବିହାର ରାଜନୀତିର ଅନେକ ଗୁରୁତ୍ୱ ରହିଛି। ସ୍ୱାଧୀନତା ପୂର୍ବରୁ ହେଉ କିମ୍ବା ସ୍ୱାଧୀନତା ପରେ ବିହାରର ରାଜନୈତିକ ଘଟଣା ହିଁ ମୋଡ଼ ପରିବର୍ତ୍ତନ କରିଛି।  ଏଭଳି କେତେକ ଘଟଣାକୁ ବାଦ ଦେଲେ ରାଜନୀତିର ଅପରାଧିକରଣ ପାଇଁ ମଧ୍ୟ କୁଖ୍ୟାତି ରହିଛି। ସେ ଯେ କୌଣସି ଦଳ ହେଉ ନା କାହିଁକି, ଆପରାଧିକ ପୃଷ୍ଠଭୂମି ଥିବା ନେତା ନିର୍ବାଚନ ରଣାଙ୍ଗନରେ ଭାଗ ନେଇଥାନ୍ତି।

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 28 ତାରିଖରେ ହେବାକୁ ଯାଉଛି। ଏଥିରେ 71ଟି ଆସନରେ ଭୋଟ ଗ୍ରହଣ ହେବ। ଗତ 9 ତାରିଖରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି।  ଏଯାବତ୍ ବିଭିନ୍ନ ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନେକ ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ରହିଛି। କେବଳ ସେତିକି ନୁହେଁ। ଘୋଷଣା କରାଯାଇଥିବା ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଆପରାଧିକ ପୃଷ୍ଠଭୂମି ଥିବା ନେତାଙ୍କର ଅଭାବ ନାହିଁ। ସବୁଥର ଭଳି ଏଥର ମଧ୍ୟ ଯେଉଁ ବାହୁବଳୀ ବିଧାୟକମାନେ ଦଳୀୟ ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। କେତେକ ଜେଲ ଭୋଗୁଥିବା ବାହୁବଳୀ ନେତା ନିଜ ନିଜ ପତ୍ନୀମାନଙ୍କୁ ନିର୍ବାଚନ ମଇଦାନରେ ଉତାରିଛନ୍ତି।

ଚଳିତ ନିର୍ବାଚନରେ ଚର୍ଚ୍ଚିତ ହୋଇଥିବା ବାହୁବଳୀ ନେତା ହେଉଛନ୍ତି- ଅନନ୍ତ ସିଂ। ସେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପକ୍ଷରୁ ପାଟନା ମୋକାମରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ବିରୋଧରେ ଗୋଟିଏ କି ଦୁଇଟି ନୁହେଁ, ବହୁ ଆପରାଧିକ ମାମଲା ରହିଛି। ଏହା ସତ୍ତ୍ୱେ ତାଙ୍କୁ ପ୍ରାର୍ଥୀ କରାଯାଇଛି। କୌଣସି କାରଣରୁ ଯଦି ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥାଏ, ତେବେ ତାହାର ବିକଳ୍ପ ମଧ୍ୟ ସେ ଚିନ୍ତା କରିଛନ୍ତି। ଏଥିପାଇଁ ନିଜ ପତ୍ନୀ ନୀଲମ ଦେବୀଙ୍କୁ ମଧ୍ୟ ସେହି ସିଟରୁ ଛିଡା କରିଛନ୍ତି। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଦୁହିଁଙ୍କ ମଧ୍ୟରେ ଜଣେ ଓହରିବେ ବୋଲି ଜଣା ପଡିଛି। ବିହାର ରାଜନୀତିରେ ଛୋଟେ ସରକାର ବୋଲାଉଥିବା ଅନନ୍ତ ସିଂ ପୂର୍ବରୁ 4 ଥର ଜେଡିୟୁ ଏବଂ ଥରେ ସ୍ୱାଧୀନ ଭାବେ ଜିତି ସାରିଛନ୍ତି। କଥା କେବଳ ଅନନ୍ତଙ୍କ ନିକଟରେ ସୀମିତ ହୋଇ ନାହିଁ।

ଆରେଜେଡି ପକ୍ଷରୁ ବିଭା ଦେବୀ ଏବଂ କିରଣ ଦେବୀଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ବିଭା ଦେବୀ ବାହୁବଳୀ ନେତା ରାଜବଲ୍ଲଭ ପ୍ରସାଦ ଯାଦବଙ୍କ ଧର୍ମପତ୍ନୀ। ସେହିପରି କିରଣଦେବୀ ହେଉଛନ୍ତି- ବାହୁବଳୀ ନେତା ଅରୁଣ ଯାଦବଙ୍କ ସ୍ତ୍ରୀ। ଏହି 2 ଜଣ ଯଥାକ୍ରମେ ନୱାଦା ଏବଂ ସନ୍ଦେଶ ବିଧାନସଭା ଆସନରୁ ନିର୍ବାଚନ ଲଢିବେ।  ଆଶ୍ଚର୍ଯ୍ୟର କାରଣ ଏହି କି ଯେ, ବିଭା ଦେବୀଙ୍କ ସ୍ୱାମୀ ରାଜବଲ୍ଲଭ ପ୍ରସାଦ ଆଜୀବନ କାରାଦଣ୍ଡ ଭୋଗ କରୁଛନ୍ତି। ତାହା ପୁଣି ଜଣେ ନାବାଳିକାର ଦୁଷ୍କର୍ମ ମାମାଲାରେ। ଏଭଳି ଆପରାଧିକ ପୃଷ୍ଠଭୂମି ଥିବା ପରିବାର ସଦସ୍ୟଙ୍କୁ ଟିକେଟରୁ ବଞ୍ଚିତ କରାଯାଇନାହିଁ।

ଆରଜେଡିର ଆଉ ଜଣେ ବାହୁବଳି ନେତା ହେଉଛନ୍ତି- ମଗଧ ସମ୍ରାଟ ବୋଲାଉଥିବା ସୁରେନ୍ଦ୍ର ଯାଦବ। ତାଙ୍କ ବିରୋଧରେ ମଧ୍ୟ ଥାନାରେ ରହିଛି ବିଭିନ୍ନ ଆପରାଧିକ ମାମଲା। ଏହି ଧାରା ଯେ କେବଳ ଆରଜେଡିରେ ରହିଛି, ତାହା ନୁହେଁ। ଦୀର୍ଘ 15 ବର୍ଷ ଧରି ଶାସନ କ୍ଷମତାରେ ଥିବା ଜେଡିୟୁ ମଧ୍ୟ ଏଥିରୁ ବାଦ୍ ପଡିନାହିଁ।  ନିକଟରେ ପ୍ରାଣ ହରାଇଥିବା ବାହୁବଳୀ ନେତା ବିନ୍ଦି ଯାଦବଙ୍କ ସ୍ତ୍ରୀ ମନୋରମା ଦେବୀଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଏକଦା ତାଙ୍କ ଘରୁ ମଦ ଜବତ ହୋଇଥିବାରୁ ମନୋରମାଙ୍କୁ ଜେଲର ଚାରିକାନ୍ଥ ମଧ୍ୟରେ ଦିନ କଟାଇବାକୁ ପଡିଥିଲା। ଏହା ସତ୍ତ୍ବେ ବି ତାଙ୍କୁ ଦଲୀୟ ଟିକେଟରୁ ବଞ୍ଚିତ କରାଯାଇନାହିଁ। ମନୋରମାଙ୍କ ପତ୍ର ମଧ୍ୟ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଛନ୍ତି।

ଇଏ ତ ଗଲା ଲାଲୁ ଏବଂ ନୀତିଶଙ୍କ ପାର୍ଟି କଥା।  ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଏଲଜେପି ମଧ୍ୟ ଏଥରୁ ବାଦ ପଡିନି। ଏକଦା ଏଲଜେପିର ଉପସଭାପତି ଥିବା ସୁନୀଲ ପାଣ୍ଡେଙ୍କ ବିରୋଧରେ ବେଆଇନ ବନ୍ଧୁକ ରଖିବା ଏବଂ ଅପହରଣ ପରି ସଙ୍ଗୀନ ମାମଲା ରହିଛି।  ଆଶ୍ଚର୍ଯ୍ୟର କଥା ଏହି ନେତା 4 ଥର ବିଧାୟକ ହୋଇସାରିଛନ୍ତି।

ଏତେ ସବୁ ପରେ ବି ଭୋଟର ମାନଙ୍କ ପାଇଁ ଏକ ବ୍ୟବସ୍ଥା ରହିଛି। ଯାହା ଦ୍ୱାରା ସେମାନେ ପ୍ରାର୍ଥୀମାନଙ୍କ ନାଁରେ ଥିବା ମାମଲା, ଅପରାଧ ସମ୍ପର୍କରେ ଜାଣିପାରିବେ। ଏପରିକି ପ୍ରାର୍ଥୀମାନେ ନିଜ ନିଜ ଆପରାଧିକ ପୃଷ୍ଠିଭୂମି ଏବଂ ନିଜ ନାଁରେ ଥିବା ମାମଲାକୁ ଏକାଧିକ ଥର ସାର୍ବଜନୀନ କରିବେ। ସ୍ଥାନୀୟ ଭାବେ ପ୍ରକାଶିତ ଖବର କାଗଜ ଏବଂ ଗଣମାଧ୍ୟମ ଜରିଆରେ ଏହା କରିପାରିବେ। ତେଣୁ କାହାକୁ ଭୋଟର ବିହାରୀ ଜିତାଇବେ, କାହାକୁ ନ ଜିତାଇବେ… ସେ ନିଷ୍ପତ୍ତି ସେମାନଙ୍କର….

 

 

Latest Posts

Don't Miss