ବିହାରରେ ନବନିର୍ବାଚିତଙ୍କ ମଧ୍ୟରେ ମାଳମାଳ ଦାଗୀ ବିଧାୟକ, ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା

ବିହାର: ବିହାରରେ ୨୪୩ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି । ଏଥିରେ ଏନଡିଏ ବହୁମତ ପାଇଥିବା ବେଳେ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ଭିତରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୬୮ ପ୍ରତିଶତ ନବନିର୍ବାଚିତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଯାହା ଗତ ବିଧାନସଭାର ବିଧାୟକଙ୍କ ଠାରୁ ୧୦ ପ୍ରତିଶତ ଅଧିକ ।

ଏଥିସହ କୋଟିପତି ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିଛି । ୨୦୧୫ରେ ୧୨୩ ଜଣ କୋଟିପତି ବିଧାୟକ ଥିବା ବେଳେ ଏବେ ୧୯୪ ଜଣ କୋଟି ପତି ବିଧାୟକ ଅଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ୨୪୧ ଜଣ ବିଧାୟକଙ୍କ ଆଫିଡେବିଟକୁ ବିଷ୍ଲେଷଣ କରାଯାଇ ଏହି ଡାଟା ପ୍ରସ୍ତୁତ କରାଯାଇଛି ।

ଏଥିସହ ୫୧ ପ୍ରତିଶତ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ଯାହା ୨୦୧୫ରେ ୪୦ ପ୍ରତିଶତ ରହିଥିଲା । ଏକ କୋଟି ଟଙ୍କାରୁ ଅଧିକ ମୁଲ୍ୟ ସମ୍ପତ୍ତି ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ ୮୧ ପ୍ରତିଶତ ରହିଛି । ୨୦୧୫ରେ ଏହା ୬୭ ପ୍ରତିଶତ ଥିଲା । ଏଥିସହ ଆରଜେଡିର ଅନନ୍ତ ସିଂ ଏଥର ସବୁଠାରୁ ଧନୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ୬୮ କୋଟି ଟଙ୍କାର ସମ୍ପତ୍ତି ରହିଛି । ଆରଜେଡିର ରାମବ୍ରିକାଶ ସାଡା ସବୁଠାରୁ ଗରିବ ବିଧାୟକ ବୋଲି ଜଣାପଡିଛି । ତାଙ୍କ ନାଁରେ ମାତ୍ର ୭୦ ହଜାର ଟଙ୍କାର ସମ୍ପତ୍ତି ରହିଛି ।

Leave a Reply