spot_img

Latest Posts

ବିହାର ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ସଙ୍କଟରେ ଇଣ୍ଡି ମେଣ୍ଟ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ସଙ୍କଟରେ ଇଣ୍ଡି ମେଣ୍ଟ। ବିଫଳ ହେବା ପରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଉପରେ ଅନେକ ପ୍ରଶ୍ନ ଉଠାଇବାରେ ଲାଗି ଆଞ୍ଚଳିକ ଦଳ। ଇଣ୍ଡି ମେଣ୍ଟର ରଣ କୌଶଳ, ନେତୃତ୍ବ ଓ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇେଲେଣି ବିଭିନ୍ନ ଦଳ। ବିଭିନ୍ନ ମହଲରୁ ସମାଲୋଚନା ବି କରାଗଲାଣି। ଏପରିକି ଇଣ୍ଡି ମେଣ୍ଟରୁ ବାହାରିଯିବା ଲାଗି କିଛି ଦଳ ଚିନ୍ତା କରୁଥିବା ସୂଚନା ମିଳିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଥମେ ମେଣ୍ଟରୁ ଜେଏମଏମ ଓହରିଯାଇ ଉଦାହରଣ ସୃଷ୍ଟି କରିଥିଲା। ମେଣ୍ଟରେ ଜୁନିଅର ପାର୍ଟନର ପ୍ରସଙ୍ଗକୁ ନେଇ ବିଭିନ୍ନ ଦଳ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମେଣ୍ଟରେ ସହଭାଗୀ ଦଳଙ୍କୁ ସମାନ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବିହାର ଫଳାଫଳ ପରେ ଶିବସେନା(ୟୁବିଟି) ବି ବିଷୋଦଗାର କରିଛି। ବରିଷ୍ଠ ନେତାଙ୍କୁ ଦଳ ପ୍ରଶ୍ନ କରିବା ସହ ଇଣ୍ଡି ମେଣ୍ଟରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ଦଳ ଉଲ୍ଲେଖ କରିଛି। ବିହାର ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବା ଲାଗି ନିଷ୍ପତ୍ତି ନେଇଥିବାରୁ ଶିବସେନା(ୟୁବିଟି) ଏହାର ସମାଲୋଚନା କରିଛି। ବିହାର ରଣକୌଶଳ ନେଇ ବି ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ଏହି ନିର୍ବାଚନରେ ଇଣ୍ଡିମେଣ୍ଟର ବିଫଳତା ପଛରେ ନେତାମାନଙ୍କ ସ୍ପଷ୍ଟ ଭୂମିକାର ଅଭାବ ବୋଲି ସେ ଦର୍ଶାଇଛନ୍ତି। ସେହିପରି ବିହାରରେ ଆପ୍ ଏକାକୀ ଲଢିବା ନେଇ ଘୋଷଣା କରିବା ଇଣ୍ଡି ମେଣ୍ଟ ପ୍ରତି ପ୍ରଥମରୁ ବିପଦ ସୃଷ୍ଟି କରିଥିଲା ବୋଲି କିଛି ଦଳ କହିଛନ୍ତି। ଆପ୍ ଯୁକ୍ତି କରିଥିଲା ଯେ, ଏକ ଜାତୀୟ ପ୍ଲାଟଫର୍ମରେ ସମନ୍ବୟର ଅଭାବ ହୋଇଥିବାବେଳେ ଏହାକୁ ନେଇ ଆପ୍ କ୍ଷତି ସହିବ ନାହିଁ। ଦେଶର ପ୍ରମୁଖ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ କଂଗ୍ରେସର ବିଫଳତାକୁ କଂଗ୍ରେସ ବି ସହଜରେ ଗ୍ରହଣ କରିପାରୁନାହିଁ। ସାଂଗଠନିକ ଦୁର୍ବଳତା, ନିର୍ବାଚନ ପରିଚାଳନାରେ ସମନ୍ବୟର ଅଭାବ ଯୋଗୁ ଦଳ କ୍ଷତି ସହିଲା ବୋଲି କଂଗ୍ରେସ ନେତା କହୁଛନ୍ତି।

 

Latest Posts

Don't Miss