‘ଲେଖିକି ଦେଉଛି ନୀତିଶ ମୁଖ୍ୟମନ୍ତ୍ରୀ ହେବେ ନାହିଁ’ କେଉଁ ସମୀକରଣ ଆଧାରରେ ଏପରି କହିଲେ ଚିରାଗ…

ପାଟନା : ବିହାର ନିର୍ବାଚନର ଶେଷ ପର୍ଯ୍ୟାୟ ଆସନ୍ତା ୭ ତାରିଖରେ ସରିବ । ଏହାର ଠିକ୍ ୩ ଦିନ ପରେ ଫଳାଫଳ ଜଣାପଡିବ । ଆଉ ଏହା ପରେ ହାତ ଯୋଡି, ମୁଣ୍ଡ ତଳକୁ ନୂଆଁଇବେ ନୀତିଶ କୁମାର । ଏହିଭଳି ମୁଦ୍ରାରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମ୍ମୁଖକୁ ଯିବାକୁ ପଡିବ । ଏଭଳି ରୋଚକ ଏବଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୁନିୟର ପାଶୱାୱ । ଏଲଜେପି ମୁଖ୍ୟ ପାଶୱାନଙ୍କ କହିବାନୁଯାୟୀ, ନୀତିଶ କୁମାରଙ୍କୁ କ୍ଷମତାରେ ରହିବା ପାଇଁ ଏହିଭଳି ସବୁ କାର୍ଯ୍ୟ କରିବାକୁ ପଡିବ ।

Bihar Election

ବିହାର ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ଚିରାଗ ନୀତିଶ ବିରୋଧୀ ଆଭିମୁଖ୍ୟ ପୋଷଣ କରିଥିଲେ । ସମସ୍ତ ରାଜନୈତିକ ଓ ଅଣରାଜନୈତିକ ସଭାରେ ନୀତିଶ କୁମାର ଏବଂ ଜେଡିୟୁଙ୍କୁ କଡା ସମାଲୋଚନା କରିଥିଲେ । ଏପରିକି ବିଜେପି ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ହିଁ ପ୍ରକୃତ ଡବଲ ଇଞ୍ଜିନ ସରକାର ବୋଲି କହିଥିଲେ । ଦରକାର ପଡିଲେ ଏଲଜେପି ଏବଂ ବିଜେପି ମେଣ୍ଟ ସରକାର ହେଲେ ନୀତିଶ କୁମାରଙ୍କୁ ଜେଲ ପଠାଯିବ ବୋଲି ଚିରାଗ କହିଥିଲେ ।

ଚିରାଗ ଆହୁରି କହିଛନ୍ତି ଯେ, ନୀତିଶ କୁମାର ଆଦର୍ଶଗତ ଭାବେ ଭାଜପା ସହ ମେଳ ଖାଆନ୍ତି ନାହିଁ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ନୀତିଶ ଭାଜପା ବିରୋଧୀ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ନିର୍ବାଚନ ଥିବାରୁ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶରଣ ପଶିଛନ୍ତି । ହେଲେ ନିର୍ବାଚନ ପରେ ଯଦି ଆବଶ୍ୟକତା ହୁଏ, ତେବେ ସେ ଲାଲୁ ଯାଦବଙ୍କ ଆଶିଷ ନେବା ପାଇଁ ରାଞ୍ଚି ଗସ୍ତ କରିବେ ବୋଲି ଚିରାଗ କହିଛନ୍ତି । ଲେଖିକି ଦେଉଛି, ନୀତିଶ ନଭେମ୍ବର ୧୦ ପରେ ବିହାର ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି କହି ଚିରାଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Bihar Election

Leave a Reply