ବିହାରରେ ମହାମେଣ୍ଟରେ ସ୍ଥିତି ହେଲାଣି ଜଟିଳ ; ହୋଇପାରୁନି ଆସନ ବୁଝାମଣା

ନନ୍ଦିଘୋଷ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ। ସରୁନି ମହାମେଣ୍ଟରେ ଆସନ ବୁଝାମଣା। ଦିନକୁ ଦିନ ଜଟିଳ ହେଉଛି ପ୍ରକ୍ରିୟା। କଂଗ୍ରେସ ଅଧିକ ଆସନ ଦାବି କରୁଥିବାବେଳେ ଆରଜେଡି କଂଗ୍ରେସକୁ ୫୨ ଆସନ ଯାଚିବା ପରେ ସ୍ଥିତି ଅଧିକ ଗୋଳମାଳିଆ ହୋଇଛି। ଏପରିକି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ ।
ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେହିପରି ମହାମେଣ୍ଟରେ ଥିବା ସିପିଆଇଏମଏଲ ୧୯ ଆସନରେ ଲଢି ୧୨ଟିରେ ବିଜୟୀ ହୋଇଥିଲା । ସିପିଆଇ ୬ ଆସନରେ ଲଢି ୨ ଆସନରେ ଏବଂ ସିପିଏମ ୪ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ ବିଜେପି ସର୍ବାଧିକ ୭୯ ଆସନ ଲାଭ କରିଥିବାବେଳେ ଆରଜେଡି ଦ୍ବିତୀୟ ସର୍ବାଧିକ ୭୭ ଆସନ ହାସଲ କରିଥିଲା । ଏ ଦୃଷ୍ଟିରୁ ଚଳିତ ଥର କଂଗ୍ରେସକୁ ୫୦ରୁ ୫୫ ଆସନ ଦେବାକୁ ଚାହୁଁଛି ଆରଜେଡି । ସେପଟେ ମହାମେଣ୍ଟକୁ ୧୪ ଯାଏ ଡେଡଲାଇନ ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ଇଣ୍ଡିମେଣ୍ଟ ସହଯୋଗୀ ଭାବେ ଜେଏମଏମ ୧୨ ଆସନରେ ଲଢିବାକୁ ଚାହୁଁଛି। ଝାଡଖଣ୍ଡ ନିର୍ବାଚନରେ ଜେଏମଏମ ଯୋଗୁ କଂଗ୍ରେସ, ଆରଜେଡି, ସିପିଆଇଏମଏଲ ସମ୍ମାନଜନକ ସ୍ଥିତିରେ ଥିଲେ। ତେଣୁ ଏହାର ମୂଲ୍ୟ ବିହାରରେ ପାଇବାକୁ ଚାହୁଁଛି ଜଏମଏମ।