ଏଠି ଏକାଠି ରୁହନ୍ତି ଆମେରିକା, ଆଫ୍ରିକା ଓ ଜାପାନ; ଋଷ ଓ ଜର୍ମାନୀଙ୍କର ହୋଇ ସାରିଛି ସ୍ୱର୍ଗବାସ !

Bihar 5 Brothers Named As America Japan Russia Germany And Africa

ପାଟଣା: ମାର୍ବଲର ସୁପରହିରୋ କ୍ରିସ୍ ହେମ୍ସବର୍ଥଙ୍କ ଝିଅର ନାଁ ଇଣ୍ଡିଆ । ସେହିଭଳି ଦକ୍ଷିଣ ଆଫ୍ରିକାର କ୍ରିକେଟର ଜଣ୍ଟି ରୋଡ୍ସଙ୍କ ଝିଅର ନାଁ ମଧ୍ୟ ଇଣ୍ଡିଆ । ୨୦୧୪ରେ ୟୁପିର ରାମପୁରରୁ ସାଂସଦ ରହିଥିବା ବିଜେପି ନେତାଙ୍କ ନାଁ ନେପାଳ ସିଂହ ଅଟେ । ଲୋକ ବିଭିନ୍ନ ଜାଗା ଓ ଦେଶର ନାଁକୁ ନେଇ ଛୁଆଙ୍କ ନାଁ ରଖିଥାନ୍ତି । କିନ୍ତୁ ବିହାରରେ ଏମିତି ଏକ ପରିବାର ରହିଛି, ଯେଉଁଠି ୫ ଭାଇଙ୍କ ନାଁ ୫ ଦେଶର ନାଁକୁ ନେଇ ରଖାଯାଇଛି । ଏହି ୫ ଦେଶ ମଧ୍ୟରେ ଯଦିଓ ସେତେଟା ଭଲ ପଡ଼େ ନାହିଁ କିନ୍ତୁ ଏ ୫ ଭାଇଙ୍କ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ ।

ବିହାରରେ ପଶ୍ଚିମ ଚମ୍ପାଚରଣ ଜିଲ୍ଲାରେ ରହିଛି ବସନ୍ତପୁର ପଞ୍ଚାୟତ । ଯେଉଁଠି ଗୋଟିଏ ପରିବାରରେ ୫ ଭାଇ ରୁହନ୍ତି । ଯାହାଙ୍କର ନାଁ ଆମେରିକା ଶର୍ମା, ଆଫ୍ରିକା ଶର୍ମା, ଜର୍ମାନୀ ଶର୍ମା, ଋଷ ଶର୍ମା ଓ ଜାପାନ ଶର୍ମା । ଏହା ୫ ଭାଇଙ୍କର ପ୍ରକୃତ ନାମ । ତେବେ ଦୁଃଖର କଥା ହେଉଛି ଦୁଇ ଭାଇ ଋଷ ଓ ଜର୍ମାନୀଙ୍କ ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।

ତେବେ ୫ ଭାଇଙ୍କ ନାମକରଣ ପଛରେ ଏକ ରୋଚକ କାହାଣୀ ରହିଛି । କାହାଣୀ ଅନୁସାରେ, ପରିବାରର ଦାଦାପୁଅ ଭାଇଙ୍କ ନାଁ ଅକଲୁ । ସ୍ୱାଧୀନତା ପରେ ଅକଲୁ ୧୯୫୦ ମସିହାରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ । କିଛିବର୍ଷ ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଥିବାରୁ ସେତେବେଳେ ବଡ଼ ଦେଶର ସେନା ସହ ଭାରତର ନାଁ ଚର୍ଚ୍ଚା ହେଉଥିଲା । ଅକଲୁ ସେହି ଦେଶର ନାଁ ଦ୍ୱାରା ପ୍ରଭାବିତ ହୋଇଥିଲେ । ପରେ ଯେତେବେଳେ ଛୁଟିରେ ଘରକୁ ଆସିଲେ ତ ପୁତୁରାର ଜନ୍ମ ହୋଇ ସାରିଥିଲା । ଆଉ ସେ ତାର ନାଁ ଆମେରିକା ରଖିଥିଲେ ।

ଏହାପରେ ଜନ୍ମ ହୋଇଥିବା ପୁତୁରାଙ୍କ ନାମ ଅନ୍ୟ ଦେଶ ନାଁ ଅନୁସାରେ ଅକଲୁ ରଖିଥିଲେ । ପରିବାରରେ ୫ ଭାଇ ଜନ୍ମ ହୋଇଥିଲେ । ତେଣୁ ତାଙ୍କ ନାଁ ଆମେରିକା, ଜାପାନ, ଋଷ, ଜର୍ମାନୀ ଓ ଆଫ୍ରିକା ରଖିଥିଲେ । ତେବେ ଏଭଳି ନାଁକୁ ନେଇ ଭାଇମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । କିନ୍ତୁ ପରିବାର ଲୋକ କେବେ ବି ନାଁ ପରିବର୍ତ୍ତନ କରିନାହାନ୍ତି ।