ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି । ସରକାରକୁ ଆସିବା ପରେ ବିଜେପି ନେତା ଓ କର୍ମୀମାନେ ଉତ୍ସାହିତ ହୋଇଛନ୍ତି । ଶପଥ ପାଠ ପରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବସିଛି । ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ନିର୍ବାଚନ ଇସ୍ତାହାରକୁ ପୂରଣ କରିବା ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ମୋହନ ସରକାର ଗଠନ ପରେ ଚାଷୀଙ୍କୁ ଏମଏସପି ୩୧ ଶହ ଟଙ୍କା ମିଳିବ ବୋଲି ମନ୍ତ୍ରୀ ଓ ସାଂସଦମାନେ କହିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ରାଜ୍ୟ ଅତିଥି ଭବନରେ ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ଭିଡ଼ ଲାଗିଛି । ଶପଥ ପାଠ ପରେ  ନେତା ଓ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାଜ୍ୟର ବିଭିନ୍ନ କୋଣରୁ ବିଜେପି କର୍ମୀ ଓ ଶୁଭେଚ୍ଛୁ ଛୁଟି ଆସୁଛନ୍ତି ରାଜଧାନୀ । ହାତରେ ଫୁଲତୋଢା ଧରି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ଜଣାଉଛନ୍ତି ଶୁଭେଚ୍ଛା । କେବଳ ଶାସକ ଦଳ ନୁହେଁ, ବିରୋଧୀ ଦଳର ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।

ତେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ନିର୍ବାଚନ ପ୍ରତିଶ୍ରୃତି ପାଳନ କରିବା । ତେବେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ବୋଲି କହିଛନ୍ତି ମୋହନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ । ଦଳ ଦେଇଥିବା ବଡ଼ ପ୍ରତିଶ୍ରୁତିକୁ ପ୍ରଥମ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ର କହିଛନ୍ତି । ଆଗକୁ ସରକାର ୧୦୦ ଦିନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାମ ଆରମ୍ଭ କରିବ ବୋଲି କ୍ୟାବିନେଟ ମନ୍ତ୍ରୀ ରବି ନାୟକ କହିଛନ୍ତି ।

ଶପଥ ପାଠ ପରେ ପ୍ରଥମ କ୍ୟାବିନେଟରେ ମୋହନ ସରକାର ୪ଟି ବଡ଼ ପ୍ରସ୍ତାବକୁ ପାରିତ କରିଛି । ଶୀଘ୍ର ଏମଏସପି ୩୧ ଶହ ଟଙ୍କା କରାଯିବ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି ।