ୟୁଏଇରେ ଚମକିଲା ଭାରତୀୟ ଡ୍ରାଇଭରଙ୍କ ଭାଗ୍ୟ, ଉଠିଲା ୪୪ କୋଟି ଟଙ୍କାର ଲଟେରୀ

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଭାଗ୍ୟ କେତେବେଳେ ଯେ କାହାକୁ କଣ ଦେବ ତାହା କାହାକୁ ମଧ୍ୟ ଜଣାନଥାଏ । ଭାଗ୍ୟ ମଣିଷକୁ ରାଜାରୁ ଭିକାରୀ ବନାଇ ଦିଏ ତ ଆଉ କେତେବେଳେ ଭିକାରୀ ଭାଗ୍ୟ ବଳରେ ରାଜା ମଧ୍ୟ ବନିଯାଏ । ତେବେ ୟୁଏଇରେ ରହୁଥିବା ଜଣେ ଭାରତୀୟ ଯିଏକି ସେଠାରେ ଡ୍ରାଇଭରଭାବେ କାମ କରନ୍ତି, ତାଙ୍କର ୪୪ କୋଟି ଟଙ୍କାର ଏକ ଲଟେରୀ ଲାଗିଛି । ଯାହାକି ସେ ନିଜେ ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ଡିସେମ୍ବର ୩୧ ତାରିଖରେ ସେ ଏହି ଲଟେରୀ ଜିତିଛନ୍ତି । ତେବେ ଏହି ଭାରତୀୟ ଡ୍ରାଇଭରଙ୍କ ନାମ ହେଉଛି ମୁନବର । କୁହାଯାଏ କି, ବର୍ଷ ଆରମ୍ଭରୁ ଭଲ ହେଲେ ବର୍ଷ ତମାମ ଭଲ କଟେ । ଏଣୁ ନୂଆବର୍ଷର ପୂର୍ବଦିନ ଏଭଳି ଖୁସି ଖବର ମିଳିଥିବାବେଳେ ଆଗକୁ ତାଙ୍କ ଭାଗ୍ୟ ଚମକିବ ବୋଲି ସେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ।

ମୁନବର କହିଛନ୍ତି କି, ସେ ଗତ ପାଞ୍ଚ ବର୍ଷ ଧରି ପ୍ରତି ମାସରେ ଲଟେରୀ ଟିକେଟ କିଣନ୍ତି । ତାଙ୍କର ବିଶ୍ବାସ ନଥିଲା କି, ଏତେ ବଡ଼ ଲଟେରୀ ଲାଗିବ । ମୁନବରଙ୍କ ବ୍ୟତିତ ଅନ୍ୟ ୧୦ ଜଣ ବିଜେତାଙ୍କୁ ମଧ୍ୟ ୨୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ସେପଟେ ଅନ୍ୟଜଣେ ଭାରତୀୟ ଯିଏକି କେରଳର ଅଟନ୍ତି । ସେ ମଧ୍ୟ ଏକ ଲଟେରୀ ଜିତିଛନ୍ତି ।