ଟିମ୍ ଇଣ୍ଡିଆ ପାଇଁ ବଡ଼ ଚେତାବନୀ: ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତ ପାଇଁ ପଡ଼ିବ ମହଙ୍ଗା
1 min read
ମାର୍ଚ୍ଚ ୯ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ । ଟାଇଟଲ ହାତେଇବା ନେଇ ଦୁଇ ଟିମର ଅଧିନାୟକ ବେଶ ଆଶାବାଦୀ ରହିଛନ୍ତି । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ହରାଇ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ତେବେ ଏଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ICC ଚାମ୍ପିୟନ୍ସ ଟ୍ରଫି ହାତେଇବ ବୋଲି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ଆଶା ରହିଛି । ସେମିରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆା ପରି ଶକ୍ତିଶାଳୀ ଟିମ ହାରିଯାଇଥିଲେ । ତେଣୁ ଭାରତର ଫାଇନାଲ ବିଜୟ ପଥ ସହଜ ହୋଇଗଲା ବୋଲି ଚର୍ଚ୍ଚା ହେଉଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି, ନ୍ୟୁଜିଲାଣ୍ଡ ଏପରି ଏକ ଟିମ୍ ଯେ କି ଅଧିକାଂଶ ସମୟରେର ICC ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ ଖେଳିଥାଏ । ଅନ୍ୟପକ୍ଷରେ ବହୁ ବଡ଼ ଟିମ୍ ଏଥିରୁ ବଞ୍ଚିତ ହୋଇଥାନ୍ତି । ତେଣୁ ନ୍ୟୁଜିଲାଣ୍ଡ ପ୍ରତି ଭାରତୀୟ ଦଳ ସାବଧାନ ରହିବା ନିହାତି ଜରୁରୀ । ୨୫ ବର୍ଷ ତଳେ ଏପରି ଏକ ସ୍ଥିତି ଦେଖିବାକୁ ମିଳିଥିଲା । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ହାତେଇଥିଲା ନ୍ୟୁଜିଲାଣ୍ଡ । ଭାରତ ଏହା ଭୁଲିଯିବା ଅନୁଚିତ ।
ତେଣୁ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଚେତାବନୀ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର । ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବାର ଭୁଲ ନ କରିବାକୁ କହିଛନ୍ତି ଗାଭାସ୍କର । ଗ୍ରୁପ ଷ୍ଟେଜ ମୁକାବିଲା ଅପେକ୍ଷା ଫାଇନାଲ ଲଢ଼େଇ ଯଥେଷ୍ଟ ଅଲଗା ହେବ । ମାର୍ଚ୍ଚ ୨ରେ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ମାତ୍ର ଏବେ ନ୍ୟୁଜିଲାଣ୍ଡର ଆଟାକରେ ବହୁତ ପରିବର୍ତ୍ତନ ଆସିଛି । ସେମିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ସ୍କୋର କରି ନ୍ୟୁଜିଲାଣ୍ଡ ଦେଇଛି ଏକ ବଡ଼ ପ୍ରମାଣ । କିଓ୍ବି କମାଲ ପ୍ରଦର୍ଶନ କରି ୫୦ ରନରେ ସେମିରେ ଜିତିଥିଲା । ଭାରତ ଉକ୍ତ ମ୍ୟାଚରୁ ବହୁତ କିଛି ଶିଖିବା ଜରୁରୀ । ନ୍ୟୁଜିଲାଣ୍ଡ ଏପରି ଏକ ଟିମ୍ ଯେ କି ଚୁପଚାପ ନିଜର କାମ କରିଥାଏ । ଭାରତ ଅଷ୍ଟ୍ରେଲିଆାକୁ ହରାଇବାର ଅର୍ଥ ନୁହେଁ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହଜ ହୋଇଯିବ । ଫାଇନାଲରେ ଭାରତକୁ କଠିନ ସଂଘର୍ଘ କରିବାକୁ ପଡ଼ିବ ବୋଲି ଗାଭାସ୍କର କହିଛନ୍ତି ।
ଫାଇନାଲ ଲଢ଼େଇ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଫାଇନାଲ ମ୍ୟାଚ ଦୁବାଇରେ ହେଉଥିବାରୁ ଭାରତ ସେଠାରେ ଖେଳିବାର କିଛି ଅଭିଜ୍ଞତା ହାସଲ କରି ସାରିଛି, ଯାହାକି ଦଳକୁ ଫାଇଦା ଦେଇପାରେ । ସବୁଠାରୁ ବଡ଼ କଥା ହେଉଛି, ଫାଇନାଲ ଦିନ ପିଚର ସ୍ଥିତି କିପରି ରହିବ, ତାହା ସବୁ ମୋଡ଼ ବଦଳାଇ ଦେଇପାରେ । ଅଧିକାଂଶ ଏକ୍ସପର୍ଟ ଭାରତକୁ ଫେଭରାଇଟ ବୋଲି ମାନୁଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଦୁର୍ବଳ ସ୍ଥିତିରେ ନାହିଁ । ଯେଉଁ ଟିମ୍ ସେମିଫାଇନାଲରେର ୩୬୨ ସ୍କୋର କରି ପାରୁଛି, ସେହି ଟିମକୁ ହାଲୁକାରେ ନେବା ଅର୍ଥ ପରାଜୟକୁ ଆମନ୍ତ୍ରଣ କରିବା ।
ଭାରତ ଭଲ ପେସ ବାହିନୀ ରହିଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ପଛରେ ନାହିଁ । ନ୍ୟୁଜିଲାଣ୍ଡ ମଧ୍ୟ ତା’ର ପେସ ଆଟାକ ଦ୍ବାରା ହାରିବା ବାଜିବାକୁ ପଲଟା ଦେଇପାରେ । କିଓ୍ବି ପେସ ଆଟାକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରେ । ସ୍ପିନ କଥା ଯଦି କହିବା ଭାରତ ପାଖରେ ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ ଜାଡେଜା ରହିଛନ୍ତି । ନ୍ୟୁଜିଲାଣ୍ଡ ପାଖରେ ମଧ୍ୟ ଅଧିନାୟକ ମିଚେଲ ସେଣ୍ଟନରଙ୍କ ପରି ଅଭିଜ୍ଞ ସ୍ପିନର ରହିଛନ୍ତି । ନିଜର ସ୍ପିନ ଯାଦୁ ବଳରେ ଅତୀତରେ ସାଣ୍ଟନର ଭାରତକୁ ପରାଜୟର ରାସ୍ତା ଦେଖାଇ ସାରିଛନ୍ତି । ଫିଲଡିଂରେ ମଧ୍ୟ ନ୍ୟୁଜିଲାଣ୍ଡ ଉଚ୍ଚକୋଟୀର ରହିଛି । ବ୍ୟାଟିଂ କଥା ଯଦି କହିବା, ରଚିନ୍ଦ୍ର ରବିନ୍ଦ୍ର, କେନ ଓ୍ବିଲିୟମସନ, ବିଲ ୟଙ୍ଗଙ୍କ ପରି ବ୍ୟାଟ୍ସମ୍ୟାନ ଦଳ ପାଇଁ ବଡ଼ ସ୍କୋର କରିପାରିବେ । ତେଣୁ କୌଣସି ଦୃଷ୍ଟିରୁ ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭୁଲ ନକରୁ ଭାରତୀୟ ଟିମ୍ ।