ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଗ୍ରାଉଣ୍ଡକୁ ଯାଅ, ଲୋକଙ୍କ ନିକଟତର ହୁଅ

1 min read

ଭୁବନେଶ୍ବର: ଏଣିକି ବଡ଼ ବିଜୟ ହିଁ ବିଜୁ ଜନତା ଦଳର ମୁଖ୍ୟ ଏଜେଣ୍ଡା । ଯେଉଁଥି ପାଇଁ ପ୍ରତିଦିନ ନବୀନ ନିବାସରେ ପ୍ରତିଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବରଗଡ଼, କଳାହାଣ୍ଡି ଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଉପରେ ହୋଇଛି ଆଲୋଚନା । ଗତଥରର ତୃଟିକୁ ସଂଶୋଧନ କରି ଏଥର ବଡ଼ ଭୋଟ ବ୍ୟବଧାନରେ ବିଜୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ବିକାଶ ହେଉଛି ମୁଦ୍ଦା, ଜନସେବା ମୂଳମନ୍ତ୍ର । ଗ୍ରାଉଣ୍ଡକୁ ଯାଅ, ଲୋକଙ୍କ ନିକଟତର ହୁଅ । ନେତା ଓ କର୍ମୀଙ୍କୁ ନବୀନ ଦେଲେ ଟିପ୍ସ । ଲୋକସଭା କ୍ଷେତ୍ର ବିଷୟରେ ନେଉଛନ୍ତି ଟିକନିଖ ଅପଡେଟ୍ । ନିର୍ବାଚନ ପାଇଁ ପ୍ରତିଦିନି ନବୀନ ନିବାସରେ ବସୁଛି ବୈଠକ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକସଭା କ୍ଷେତ୍ରର କରାଯାଉଛି ସମୀକ୍ଷା । ଆଜି ପ୍ରଥମେ ବରଗଡ଼ ଓ କଳାହାଣ୍ଡି ଲୋକସଭା କ୍ଷେତ୍ର ବିଷୟରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲାର ୫ ଓ ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ବରଗଡ଼ ଲୋକସଭା । ଏହି ଲୋକସଭା କ୍ଷେତ୍ରର ବିଜେପୁର ବିଧାନସଭାର ବଡ଼ ଗୁରୁତ୍ବ ରହିଛି । କାରଣ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେହିପରି ୨୦୧୯ରୁ ୨୦୨୪ ଭିତରେ ବରଗଡ଼ ଲୋକସଭାରେ ସର୍ବାଧିକ ୪ଟି ଉପ-ନିର୍ବାଚନ ହୋଇଛି । ସବୁ ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଥିବା ବେଳେ, ବିଜେପି ହାତେଇଥିଲା ଲୋକସଭା ଆସନ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ନକ୍ସା ଯୋଗୁଁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଏବେ ଭୋକର ଭୂଗୋଳରୁ ବାହାରି ବିକାଶର ପ୍ରୟୋଗଶାଳାରେ ପରିଣତ ହୋଇଛି । କଳାହାଣ୍ଡିର ୫ ଓ ନୂଆପଡ଼ାର ଦୁଇଟି ବିଧାନସଭା ଆସନକୁ ନେଇ ଗଠିତ କଳାହାଣ୍ଡି ଲୋକସଭା କ୍ଷେତ୍ର । ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଓ ଭବାନୀପାଟଣା ବିଧାନସଭା ବିଜେପି ଖାତାକୁ ଯାଇଥିବା ବେଳେ, ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ କଂଗ୍ରେସ ବିଜୟୀ ହୋଇଥିଲା । ହେଲେ କିଛି ଦିନ ତଳେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବଜେଡିରେ ମିଶିଛନ୍ତି । ତେଣୁ ଏଥର ସବୁ ଆସନରେ ଦଳ କିପରି ବଡ ବ୍ଯବଧାନରେ ବିଜୟୀ ହେବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ସୁପ୍ରିମୋଙ୍କ ଠାରୁ ଟିପ୍ସ ନେବା ପରେ ନିର୍ବାଚନ ମଣ୍ଡଳୀରେ ଜନସେବା ଜାରି ରଖିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା ଓ କର୍ମୀ ।

ବରଗଡ଼ ଓ କଳାହାଣ୍ଡି ପରେ ବଲାଙ୍ଗୀର ଲୋକସଭା କ୍ଷେତ୍ର ଉପରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବଲାଙ୍ଗୀର ଜିଲ୍ଳାର ୫ଟି ଓ ସୁବର୍ଣ୍ଣପର ଜିଲ୍ଳାର ୨ଟି ବିଧାନସଭାକୁ ନେଇ ଗଠିତ ବଲାଙ୍ଗୀର ଲୋକସଭା । ସୁବର୍ଣ୍ଣପୁରର ଦୁଇଟି ଯାକ ଆସନ ବିଜେଡି ଦଖଲରେ ରହି ଆସୁଛି । ହେଲେ ବଲାଙ୍ଗୀରକୁ ନେଇ ଅଧିକ ପରିଶ୍ରମ ଜାରି ରଖିଛି ବିଜୁ ଜନତା ଦଳ । କାରଣ ୨୦୧୯ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ମାତ୍ର ଦୁଇଟି ବିଧାନସଭା ଆସନ ହାତେଇଥିଲା ଦଳ । ଲୋକସଭା ଆସନ କବଜା କରିଥିଲା ବିଜେପି । ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନ ମଣ୍ଡଳୀ ବୁଲି ଅଧିକ ପରିଶ୍ରମ କରିବାକୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି ।

ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସହ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ଉପରେ ଦିଆଯାଉଛି ଗୁରୁତ୍ବ । କାରଣ ଜନତାଙ୍କୁ ସମ୍ମାନ ସାଙ୍ଗକୁ ଜନସେବାକୁ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର କେବଳ ବିଜୟ ନୁହେଁ, ବଡ ବ୍ଯବଧାନରେ ବିଜୟ ବିଜେଡିର ଟାର୍ଗେଟ ।