ସାମ୍ନାକୁ ଆସିଲା ସାଂଘାତିକ ସତ: ମତ୍ସ୍ୟଜୀବୀଙ୍କ ପାଇଁ ନାହିଁ ବୀମା ସୁବିଧା, ମାଛଧରା ବନ୍ଦରରେ ବ୍ୟାପକ ଅବ୍ୟବସ୍ଥା

ପାରାଦୀପ: ନାହିଁ ନାହିଁରେ ଚାଲିଛି କୋଟି କୋଟି ଟଙ୍କାର ମତ୍ସ୍ୟ ଶିଳ୍ପ । ରାଜସ୍ବ ନେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ଦୁର୍ଘଟଣା ଘଟିଲେ ସହାନୁଭୂତି ଦେବାକୁ କେହି ନାହାଁନ୍ତି । ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ କାଣ୍ଡ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ୍ୟ । ବୋଟ୍ ବୁଡିଲେ, ପୋଡ଼ିଲେ କି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ପାଇଁ ନାହିଁ ଇନସ୍ୟୁରାନ୍ସର ବ୍ୟବସ୍ଥା। ପାରାଦୀପ ମାଛଧରା ବନ୍ଦର ଉପରେ ପାଖାପାଖି ୫୦ ହଜାର ପରିବାର ନିର୍ଭରଶୀଳ। ଏଠାରେ ୬୫୦ଟି ବଡ଼ ସୋନା ବୋଟ୍ ଓ ୪୦୦ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ବା ଟାପା ରହିଛି। ଟାପା ଗୁଡିକ ପ୍ରତ୍ୟେକ ଦିନ ସମୁଦ୍ରକୁ ଯାଇ ମାଛ ଧରି ଫେରୁଥିବା ବେଳେ ବୋଟ୍ ଗୁଡିକ ୧୫ ରୁ ୨୦ ଦିନ ଗଭୀର ସମୁଦ୍ରରେ ରହି ମାଛ ଧରିଥାନ୍ତି ।

ନିକ ପାଖାପାଖି ୨୦୦ ରୁ ୨୫୦ ଟନର ମାଛ ଏଠାରେ ବିକ୍ରୟ ହେଉଥିବା ବେଳେ, ୮୫ ଭାଗ ମାଛ ବିଦେଶକୁ ରପ୍ତାନୀ କରାଯାଇଥାଏ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶୀ ମୁଦ୍ରା ଭାବରେ ଲକ୍ଷାଧିକ ଟଙ୍କାର ରାଜସ୍ୱ ପାଇଥାନ୍ତି । କିନ୍ତୁ ଏହି ଶିଳ୍ପ ପ୍ରତି ରାଜ୍ୟ ସରକାର ସବୁବେଳେ ପକ୍ଷପାତିତା କରୁଥିବା ଅଭିଯୋଗ ହେଉଛି। ଅନ୍ୟ ରାଜ୍ୟରେ ଡିଜେଲରେ ରିହାତି ସହିତ ମତ୍ସ୍ୟ ଶିଳ୍ପରେ ଯୋଡ଼ି ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି। ମାତ୍ର ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ରରେ ଚଳପ୍ରଚଳ କରୁଥିବା କୋଟି କୋଟି ଟଙ୍କାର ବୋଟ୍ ପାଇଁ ନାହିଁ ବୀମା ଯୋଜନା। କି ଏଥିରେ କାର୍ଯ୍ୟ କରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ ।

ଗତ ଗୁରୁବାର ଦିନ ପାରାଦୀପ ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ ଘଟି ୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ମାଛଧରା ବନ୍ଦରର ଅବ୍ୟବସ୍ଥା ସମ୍ପର୍କରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ବନ୍ଦରର ବୋଟ୍ କ୍ଷମତା ୩୫୦ ରୁ ୪୦୦ ରହିଥିବା ବେଳେ, ଏଠାରେ ୬୫୦ ଟି ସୋନା ବୋଟ୍ ଓ ୪୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି । ଯାହା ବନ୍ଦରର କ୍ଷମତା ଠାରୁ ତିନିଗୁଣା ଅଧିକ । ଏଠାରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ପାଣି ଓ ମେଡିକାଲ ପାଇଁ ଯିବାକୁ ପଡିବ ୧୦ କିଲୋମିଟର ଅଠରବାଙ୍କି । ଯଦି ଏଠାରେ କୌଣସି ବୋଟ ବୁଡିଯାଏ କିମ୍ବା ପୋଡିଯାଏ କିମ୍ବା କୌଣସି ଦୁର୍ଘଟଣା ଘଟେ ତାହାଲେ ବୋଟ ମାଲିକଙ୍କୁ କିମ୍ବା ମତ୍ସ୍ୟଜୀବୀଙ୍କୁ କୌଣସି କ୍ଷତିପୂରଣ ମିଳି ନଥାଏ । ଯାହା ମତ୍ସ୍ୟ ଶିଳ୍ପ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବକୁ ପ୍ରକାଶ କରୁଛି।

ଅଗ୍ନିକାଣ୍ଡ ପରେ ସାହାରା ସାଜିଥିବା ବୋଟ ପୋଡିଯାଇଥିବା ଦେଖି ବୋଟ ମାଲିକ ଓ ମତ୍ସ୍ୟଜୀବୀ ଭାଙ୍ଗି ପଡିଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ଘୋଷଣା କରିନାହାଁନ୍ତି । କେବଳ ମତ୍ସ୍ୟ ବିଭାଗର ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିଯାଇଛନ୍ତି ହେଲେ ରିପୋର୍ଟ ଦେଇନାହାଁନ୍ତି । ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ମତ୍ସ୍ୟଶିଳ୍ପକୁ ଚଳଚଞ୍ଚଳ କରିବାକୁ ସାଧାରଣରେ ଦାବି ହେଉଛି ।