ଟାର୍ଗେଟ ଭୟରେ ବିଚାରପତି ଜାମିନ ଦେବାକୁ ନାରାଜ

1 min read

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ବିସ୍ଫୋରକ ବୟନ । କହିଲେ- ଟାର୍ଗେଟ ହେବା ଆଶଙ୍କା ଥିବାରୁ ତୃଣମୂଳସ୍ତରରେ ବିଚାରପତିମାନେ ଜାମିନ ଦେବାକୁ କୁଣ୍ଠିତ ହେଉଛନ୍ତି ।

ବାର୍ କାଉନସିଲ ଅଫ ଇଣ୍ଡିଆର ଏକ ଉତ୍ସବରେ ଯୋଗଦେଇ ସିଜେଆଇ କହିଛନ୍ତି- ତୃଣମୂଳ ସ୍ତରରେ ବିଚାରପତିମାନେ ଟାର୍ଗେଟ ହେବା ଆଶଙ୍କା କରି ଜାମିନ ପ୍ରଦାନ କରୁ ନଥିବାରୁ ଉଚ୍ଚକୋର୍ଟ ଗୁଡିକରେ ଜାମିନ ଆବେଦନ ବୋଝ ବଢୁଛି । ଜାମିନ ପ୍ରଦାନ ନକରିବାର କାରଣ ଏହା ନୁହେଁ ଯେ ବିଚାରପତିମାନେ ଅପରାଧର ତରିକା ସମ୍ପର୍କରେ ହୃଦବୋଧ ନୁହନ୍ତି । ପରନ୍ତୁ ବୀଭତ୍ସ ଘଟଣାଗୁଡିକରେ ଜାମିନ ପ୍ରଦାନ କଲେ ସେମାନେ ଟାର୍ଗେଟର ଶିକାର ହେବା ଆଶଙ୍କା କରୁଥିବାରୁ ଜାମିନ ପ୍ରଦାନ କରୁନାହାନ୍ତି ।

ଉତ୍ସବରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିବାବେଳେ ସିଜେଆଇଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି- ବହୁ ଆଇନଜୀବୀ ଟ୍ରାନସଫର କେସ୍ କ୍ଷେତ୍ରରେ ସିଜେଆଇଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଏହା ବ୍ୟକ୍ତି ବିଶେଷ ସ୍ତରରେ ହୋଇପାରେ । ମାତ୍ର କଲେଜିୟମ ଦ୍ବାରା ନିର୍ଦ୍ଧାରିତ ପ୍ରତି ନିଷ୍ପତ୍ତି କ୍ଷେତ୍ରରେ ଏହା ଯଦି ଘଟେ ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସିଜେଆଇ । ଗତ ନଭେମ୍ବର ୯ ତାରିଖରେ ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ।