ଅଶ୍ଲୀଳତା ବିନା ବି ବଞ୍ଚିପାରିବ କଳା: ଖଣ୍ଡଗିରି ଯାତ୍ରାରେ ଦର୍ଶକ ଦେଲେ ବଡ଼ ପ୍ରମାଣ
ଭୁବନେଶ୍ବର: ଦର୍ଶକଙ୍କ ମନ ଜିଣିଲା ସଂଳାପ । ରାତି ତମାମ ବାନ୍ଧି ରଖିଲା କଳାକାରଙ୍କ ନିଚ୍ଛକ ଅଭିନୟ । ଅଶ୍ଳୀଳତା ଶୂନ୍ୟ ସତ୍ତ୍ବେ ଯାତ୍ରା ଦେଖିବାକୁ ଖଚାଖଚ ଭିଡ଼ । ଲୋକଙ୍କୁ ହସ କାନ୍ଦରେ ମତୁଆଲା କଲା ନାଟ୍ୟକାରଙ୍କ କାହାଣୀ । ଖଣ୍ଡଗିରି ଯାତ୍ରା ମହାସମରର ଦ୍ବିତୀୟ ଦିନରେ ଦର୍ଶକଙ୍କ ଆଗ୍ରହକୁ ଦେଖି ୪ଟି ପାର୍ଟି ସେମାନଙ୍କ ନାଟକ ରିପିଟ୍ କରିଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ଆଉ ଦୁଇଟି ଯାତ୍ରାର ଦଳ । ଦ୍ବିତୀୟ ଦିନରେ ଯାତ୍ରା ମହାସମରରେ ସାମିଲ ହୋଇଛନ୍ତି ଦୂର୍ଗା ମନ୍ଦିର ଓ ଯାତ୍ରା ଯାଜ୍ଞସେନୀ । ଜାଗମରା ମାଆ ମଙ୍ଗଳା ସଂସ୍କୃତିକ ପରିଷଦ ପଡ଼ିଆରେ ପ୍ରଥମ ରାତିରେ ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବ ଡିଏସପି ଦୁର୍ଗା । ଡଲି ଭୂୟାଁଙ୍କ ଟାର୍ଗେଟରେ ନଣ୍ଡା ରଞ୍ଜିତ । କ୍ରାଇମ ଓ କ୍ରିମିନାଲ ହୋସ ଉଡାଇବ ଦୁର୍ଗା । ସେହିଭଳି ବରମୁଣ୍ଡାର ବାବା ନୀଳକଣ୍ଠଶ୍ୱର ଯାତ୍ରା କମିଟି ପଡ଼ିଆରେ ଯାତ୍ରା ଯାଜ୍ଞସେନୀ ଖେଳିବ ପାଞ୍ଚ ପତିର ସ୍ୱାମୀ। ଖଳନାୟକ ଅଭିନ୍ନ, ମିନୁ, ବର୍ଷା ଓ ଏକାଧିକ ଟେଲି ଅଭିନେତା ସାଜିବେ ଆକର୍ଷଣ ।
ସେପଟେ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାସମରକୁ ଫାଇଟ କରୁଥିବା ୪ ପାର୍ଟି ପୃଥ୍ୱୀରାଜ, ସୂର୍ଯ୍ୟ ମନ୍ଦିର, ଶିବାନୀ ଓ ଯାତ୍ରାଶ୍ରୀ ବିଶ୍ୱ ଦରବାର ସେମାନଙ୍କ ନାଟକ ରିପିଟ କରୁଛନ୍ତି । ରାଜଧାନୀ ରଜନୀ ଗନ୍ଧାରେ ରାଣୀ ପଣ୍ଡାଙ୍କ ବେଶ୍ୟା କୋଠିର ବାଇ ନାଟକକୁ ପସନ୍ଦ କରିଛନ୍ତି ଦର୍ଶକ । ସେହିଭଳି ଅପେରା ସୂର୍ଯ୍ୟ ମନ୍ଦିରର ଗ୍ୟାଙ୍ଗଷ୍ଟର ପ୍ରେମ କାହାଣୀକୁ ନେଇ ନାଟକ ହାଇଦର ପ୍ରଥମ ଦିନରୁ ହାଉସଫୁଲ ରହିଛି । ଅନ୍ୟପଟେ ଶିବାନୀ ଆଜି ବି ହାଃ କୃଷ୍ଣ ବୋଲି ଯାଉ ଜୀବ ଓ ଯାତ୍ରାଶ୍ରୀ ବିଶ୍ବଦରବାର କହିବାକୁ ଲାଜ ଶୁଣିବାକୁ ପାପ ନାଟକ ଦ୍ବିତୀୟ ରଜନୀରେ ମଞ୍ଚସ୍ଥ କରୁଛି ଅଶ୍ଳୀଳତା ନଥିଲେ ସୁଦ୍ଧା ଯାତ୍ରାର ସଂଳାପ, କଳାକାରଙ୍କ ଜୀବନ୍ତ ଅଭିନୟ ଓ ନାଟ୍ୟକାରଙ୍କ କାହାଣୀ ଯେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରେ, ଏହା ପ୍ରଥମ ଦିନ ଖଣ୍ଡଗିରି ଯାତ୍ରା ମହାସମରରେ ପ୍ରମାଣିତ ହୋଇଛି ।