ସ୍ପଷ୍ଟ ଦିବାଲୋକରେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ରାତିରେ ନୁହେଁ ବରଂ ସ୍ପଷ୍ଟ ଦିବାଲୋକରେ କଲେ ବଡ଼ ଧରଣର ଲୁଟ । ନୀଳାଦ୍ରି ବିହାର ଅଞ୍ଚଳରୁ ଅବସରପ୍ରାପ୍ତ ଡାକ୍ତର ଦମ୍ପତିଙ୍କ ଘର କବାଟର ଲକ ଭାଙ୍ଗି ବୁଲାଇଲେ କଳାକନା । ଅପରାହ୍ନରେ ପତି ପତ୍ନୀ ଘରେ ନଥିବା ବେଳେ ଲୁଟ ହୋଇଛି । ଡାକ୍ତର ଶରତ ପାଇକରାୟ ପାର୍କକୁ ଯାଇଥିବା ବେଳେ ପତ୍ନୀ ଫିଜିୟୋଥେରାପି ପାଇଁ ଯାଇଥିଲେ । ଶରତ ପାର୍କରୁ ଫେରି ଦେଖିବା ବେଳେ ଘରର ଭିତର ପଟୁ ଲକ ହୋଇଥିଲା ।

କବାଟ ଖୋଲିବାକୁ ଡାକିଲା ବେଳେ ପୁରୁଷ କଣ୍ଠ ସ୍ୱର ଶୁଣିଥିଲେ । ଘରର ଉପର ପଟୁ ଯିବା ବେଳେ ଲୁଟେରା ମାନେ ଚମ୍ପଟ ମାରିଥିଲେ । ଦୁଇଟି ରୁମରେ ୫ଟି ଆଲମାରୀରୁ ନଗଦ ୧୫ ହଜାର ଟଙ୍କା ଓ ୪ ଭରି ସୁନା ନେଇଯାଇଛନ୍ତି । ୩ ଟି ହାର, ୪ଟି ମୁଦି, ୬ଟି କାନ ଫୁଲ, ସୁନା ଚୁଡି ଓ ମୋତି ଲୁଟି ନେଇଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ତଦନ୍ତ କରିବା ସହ ଫରେନସିକ ଟିମ ଛାନଭିନ କରିଛି ।