ଛୋଟ କଳାକାରଙ୍କ ହୃଦୟ ମହାନ: ବାପାଙ୍କ ସ୍ମୃତିରେ ତିଆରି କଲେ କଂକ୍ରିଟ ରାସ୍ତା ଓ ପାହାଚ

ଗୁଣୁପୁର: ନଦୀ ତୁଠକୁ ନିର୍ମାଣ ହୋଇଛି ଚକାଚକ ରାସ୍ତା । ତିଆରି ହୋଇଛି ପାହାଚ । ଆଉ ଏହି ପାହାଚ ଗ୍ରାମ୍ୟ ସଡକ ପରିବହନ ପକ୍ଷରୁ ତିଆରି ହୋଇନି । ଆପଣଙ୍କୁ ଏ କଥା ଟିକେ ଚକିତ କରିପାରେ ହେଲେ ସତ । ଏହା ପଛରେ ରହିଛି ବିଶେଷ କାରଣ । ରାସ୍ତା ଓ ପାହାଚକୁ ତିଆରି କରିଛନ୍ତି ଗୁଣୁପୁର କୁମ୍ଭାର ସାହିର କୋନା ମାର୍କଣ୍ଡ । ସେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଓ ଲୋକସେବା ଉଦ୍ଦେଶ୍ୟରେ ବଂଶଧାରା ନଦୀ ତୁଠକୁ ତିଆରି କରିଛନ୍ତି କଂକ୍ରିଟ ରାସ୍ତା ଓ ପାହାଚ । ତାହା ପୁଣି ନିଜସ୍ଵ ଅର୍ଥରେ ।

କୋନା ମାର୍କଣ୍ଡ । ଜଣେ କ୍ଷୁଦ୍ର ଚିତ୍ରକାର ଓ ମୂର୍ତ୍ତି ଶିଳ୍ପୀ । କୋନାଙ୍କ ବାପା କୋନା ସୁରିୟ ନାରାୟଣ ଦୁଇ ହଜାର ମସିହାରେ ମୃତ୍ୟୁବରଣ କରିଥିଲେ । ସେବେଠାରୁ ମାର୍କଣ୍ଡ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ କିଛି କରିବା ପାଇଁ ଚିନ୍ତା କରିଥିଲେ । ତାପରେ ତାଙ୍କ ନଜରକୁ ଆସିଥିଲା ବଂଶଧାରା ନଦୀ ତୁଠର ଅସୁବିଧା କଥା । ଲୋକଙ୍କ ସୁବିଧା ପାଇଁ ସେ ୨୦୨୦ ମସିହାରେ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରି ନଦୀକୁ ଓଲ୍ଲାଇବା ପାଇଁ ପ୍ରଥମେ କଂକ୍ରିଟ୍ ପାହାଚ ତିଆରି କରିପାରିଥିଲେ । ଅର୍ଥ ଅଭାବରୁ ପରେ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପାହଚ ଠୁ ନଦୀ ହୁଡାକୁ କଂକ୍ରିଟ ରାସ୍ତା ନିର୍ମାଣ କରି ସଂପୂର୍ଣ୍ଣ କରିଛନ୍ତି । ମାର୍କଣ୍ଡଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଛନ୍ତି ।