spot_img

Latest Posts

ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଧରଣର ଜାଲିଆତି

ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଧରଣର ଜାଲିଆତି । ବିକ୍ରି ହେଉଛି ଚାକିରି  । ପରୀକ୍ଷା ପୂର୍ବରୁ ମିଳିଛି ଏହି ଦୁର୍ନୀତିର ବଡ଼ ସୁରାଗ। ୧୨୦ ଆଶାୟୀଙ୍କୁ ବ୍ରହ୍ମପୁର ପୋଲିସର ପଚରା ଉଚରା  । ପରୀକ୍ଷା ସ୍ଥଗିତ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ଏସଆଇ ପରୀକ୍ଷାର ୧୨୦ ପ୍ରାର୍ଥୀଙ୍କୁ ବ୍ରହ୍ମପୁର ପୋଲିସ ଧରିବା ପରେ ଏତେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏହି ଆଶାୟୀଙ୍କୁ ହାଇଦ୍ରାବାଦ ନେଉଥିଲା ପରୀକ୍ଷା ପରିଚାଳନାର ଦାୟିତ୍ଵ ନେଇଥିବା ସଂସ୍ଥା। ହାଇଦ୍ରାବାଦରେ କୋଚିଂ ଦେବା ପାଇଁ ସେମାନଙ୍କୁ ନିଆଯାଇଥିଲା। ସନ୍ଦେହ କରାଯାଉଛି, ସେଠାରେ କୋଚିଂ ବାହାନାରେ ଫିକ୍ସିଂ ହୋଇଥାନ୍ତା। ପରୀକ୍ଷାର୍ଥୀଙ୍କୁ ଅସାଧୁ ଉପାୟର ସୁଯୋଗ ମିଳିଥାନ୍ତା। ଯାହା ଫଳରେ ସେମାନେ ଚାକିରି ପାଇଥାନ୍ତେ। ବ୍ରହ୍ମପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ପିଛା କରିଥିଲା ଏବଂ ସମସ୍ତଙ୍କୁ ଶ୍ରୀକାକୁଲମ୍ ରେ ଧରିଥିଲା। ସମସ୍ତଙ୍କୁ ଧରି ବ୍ରହ୍ମପୁର ଆଣିଛି ପୋଲିସ ଏବଂ ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚରା କରିଛି।

ଏତେ ବଡ଼ ଦୁର୍ନୀତିର ସୁରାଗ ମିଳିବା ପରେ ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁମେଣ୍ଟ ବୋର୍ଡ। ପରେ ନୂଆ ତାରିଖ ଘୋଷଣା ହେବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ଘୋଷଣା କରାଯାଇଛି। ସେପେଟ ରାଜ୍ୟ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି କରୁଛନ୍ତି ତନାଘନା। ଘଟଣାର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ। ଏହି ଜାଲିଆତି ଧରାପଡ଼ିବା ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଶାୟୀ ମାନଙ୍କ ପାଇଁ ଜାରି କରାଯାଇଛି ହେଲ୍ପ ଲାଇନ୍ ନମ୍ବର। ହେଲ୍ପ ଲାଇନ ନମ୍ବରଟି ହେଲା ୯୦୪୦୪ ୯୩୨୨୩ । ଯଦି କିଏ କିଛି ଅଭିଯୋଗ କରିବାକୁ ଚାହୁଁଛି, ସେମାନେ ଏହି ନମ୍ଵରରେ ଯୋଗାଯୋଗ କରିପାରିବେ।

ସେପଟେ ପୋଲିସ ଏସଆଇ ପରୀକ୍ଷାର ଜାଲିଆତି ଧରାପଡ଼ିବା ପରେ ତାତିଛନ୍ତି ଆଶାୟୀମାନେ। ଭୁବନେଶ୍ଵରରେ ସେମାନେ ବିକ୍ଷୋଭ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, କାହିଁକି ସରକାର ସ୍ଵଚ୍ଛତାର ସହିତ ପରୀକ୍ଷା କରିପାରୁ ନାହାନ୍ତି। ମେଧାବୀ ପିଲାଙ୍କ ଭାଗ୍ୟ ସହିତ ଖେଳୁଛନ୍ତି। ଜାଲିଆତିରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା ଆକ୍ସନ ସହିତ ସଂପୂର୍ଣ୍ଣ ସ୍ଵଚ୍ଛତାର ସହିତ ପରୀକ୍ଷା କରାନ୍ତୁ ବୋଲି ଦାବି କରିଛନ୍ତି ଆଶାୟୀମାନେ। ଓଡ଼ିଶା ପୋଲିସର ୬୦୯, ସଶସ୍ତ୍ର ପୋଲିସର ୨୫୩, ଅଗ୍ନିଶମ ସେବାର ୪୭ ଷ୍ଟେସନ ଅଫିସର ଓ ୨୪ଟି ଆସିଷ୍ଟାଣ୍ଟ ଜେଲର୍ ଭାବେ ସବଇନ୍ସପେକ୍ଟର ପଦବୀ ପାଇଁ ଗତ ଜାନୁଆରି ମାସରେ ପ୍ରକାଶିତ ହୋଇଥିଲା ବିଜ୍ଞପ୍ତି। ଓଡ଼ିଶା ପୋଲିସ ରିକ୍ରୁମେଣ୍ଟ ବୋର୍ଡ ତରଫରୁ ପରୀକ୍ଷା ହେବାର ଥିଲା। ତା ପୂର୍ବରୁ ଧରାପଡ଼ିଛି ଏହି ଜାଲିଆତି।

Latest Posts

Don't Miss