କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି
1 min readନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା । ସରିଯିବ ବର୍ଷ ୨୦୨୦ । କରୋନା ସଂକଟର ବର୍ଷ ସରିବ । ନୂତନ ଆଶା, ଆଂକାକ୍ଷା ନେଇ ଉଇଁବ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟ । ନୂଆବର୍ଷର ପ୍ରଥମ ଦିନରେ କରୋନା ଭ୍ୟାକ୍ସିନ୍ ନେଇ କୌଣସି ନିଷ୍ପତ୍ତି ସମ୍ଭାବନା ରହିଛି । ଜାନୁଆରୀ ୧ ଅର୍ଥାତ୍ ଶୁକ୍ରବାର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ କରୋନା ଭ୍ୟାକ୍ସିନ୍ ଉପରେ ବସିବ । ଜରୁରୀକାଳୀନ ବ୍ୟବହାର ନେଇ ୩ଟି ଔଷଧ କମ୍ପାନୀ ମାଗିଥିବା ଅନୁମତି ଆବେଦନର ତଥ୍ୟକୁ ବୈଠକରେ ତର୍ଜମା କରାଯିବ । ଏହି କମିଟିର ସୁପାରିସ୍ ଅନୁଯାୟୀ ନିଷ୍ପତ୍ତି ନେବେ ଡିସିଜିଆଇ ।
୨୦୨୧ ବର୍ଷର ପ୍ରଥମ ଦିନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି । ନୂଆବର୍ଷ ପ୍ରଥମ ଦିନ କରୋନା ଭ୍ୟାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଆଶା । ଆଶା ଅଛି- ମହାମାରୀ ବିରୋଧରେ ଭାରତକୁ ଭ୍ୟାକ୍ସିନ୍ ମିଳିଯିବ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ଥିବାରୁ ଭ୍ୟାକ୍ସିନ୍ ନେଇ ଆଶା ବଢ଼ିଛି । ବୈଠକରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ଓ ଫାଇଜରର ଆବେଦନ ଉପରେ ତର୍ଜମା ହେବ ।
ଏହାପୂର୍ବରୁ ଡିସମ୍ବର ୯ ତାରିଖରେ କରୋନା ଭ୍ୟାକ୍ସିନ୍ ଉପରେ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଥିରେ ଫାଇଜର ଲିଖିତ ଆକାରରେ ଡାଟା ଉପରେ ସୂଚନା ଦେବା ପାଇଁ ସମୟ ମାଗିଥିଲା । ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ସମୟ ଦେଇଛି । ସେହିଭଳି ସିରମ ଇନଷ୍ଟିଚ୍ୟୁଟ୍ ଜମା କରିଥିବା ସୁରକ୍ଷା ନଭେମ୍ବର ୧୪ ଯାଏ ଥିଲା । ବିସ୍ତୃତ ଆଲୋଚନା ପରେ ସମିତି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ସମୀକ୍ଷା ପାଇଁ ଡାଟା ଓ ସୂଚନା ମାଗିଥିଲା ।
୧) କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ଡାଟା
୨) ବ୍ରିଟେନ୍ ଓ ଭାରତରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲର ଇମ୍ୟୁନୋଜୋନିସିଟି ଡାଟା
୩) ୟୁକେ ରେଗୁଲେଟର ଜରୁରୀକାଳୀନ ବ୍ୟବହାର ନେଇ ଦେଇଥିବା ଅନୁମତିର ସୂଚନା
ସେହିଭଳି ସବଜେକ୍ଟ ଏକ୍ସପର୍ଟ କମିଟି, ଭାରତ ବାୟୋଟେକ୍ ଠାରୁ ସୂଚନା ମାଗିଛି । ଏବେ ଚାଲିଥିବା କ୍ଲିନିକାଲ୍ ଟ୍ରାଏଲର ସୁରକ୍ଷା ଡାଟା କମିଟି ଆଗରେ ପ୍ରସ୍ତୁତ ପାଇଁ ଭାରତ ବାୟୋଟେକକୁ କୁହାଯାଇଛି । ଏହାପରେ ଡିସେମ୍ବର ୧୭ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଯେଉଁଥିରେ ଅକ୍ସଫୋର୍ଡ ଓ ଏଷ୍ଟ୍ରଜନେକା ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଟ୍ରାଏଲ ଓ ଭାରତ ବାୟୋଟେକକୁ କିଛି ଡାଟା ମଗା ଯାଇଛି । ଯାହାକି ଜମା କରି ଦିଆଯାଇଛି ।
ଏହାପରେ ଡିସେମ୍ବର ୩୦ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଭ୍ୟାକ୍ସିନର ଜରୁରୀ ବ୍ୟବହାର ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଅତିରିକ୍ତ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ଫାଇଜର ଆଉ କିଛି ସମୟ ମାଗିଥିଲା । ଏବେ ଫାଇଜର ଅତିରିକ୍ତ ତଥ୍ୟ ଦେଇଥିବା ବେଳେ ସମୀକ୍ଷା ଚାଲିଛି । ଜାନୁଆରୀ ୧ ତାରିଖରେ ପୁଣି ବୈଠକ ହେବ ।
ଏବେ ଶୁକ୍ରବାର ପୁଣି ସବଜେକ୍ଟ କମିଟିର ବୈଠକ ହେବ । ଏଥିରେ ତଥ୍ୟର ତର୍ଜମା ପରେ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିସ୍ ଦେଇପାରେ । ଡିସିଜିଆଇ ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ସୁପାରିସ୍ ଆଧାରରେ ଭ୍ୟାକ୍ସିନ୍ ନେଇ ନିଷ୍ପତ୍ତି ନେବେ ।
ତେବେ, କେଉଁ ଭ୍ୟାକ୍ସିନ୍ ପ୍ରଥମେ ଆସିବ ସ୍ପଷ୍ଟ ହୋଇନଥିବା ବେଳେ ଭାରତ ସରକାର ଏହାକୁ ନେଇ ପ୍ରସ୍ତୁତି କରି ସାରିଛନ୍ତି । କୋଲ୍ଡ ଷ୍ଟୋରେଜରୁ ନେଇ ଭ୍ୟାକ୍ସିନେଟର ସମସ୍ତଙ୍କୁ ଟ୍ରେନିଂ ଏବଂ କାହାକୁ ଭ୍ୟାକ୍ସିନ୍ ଦିଆଯିବ ସେ ତଥ୍ୟ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ପ୍ରାଥମିକତା ଦିଆଯିବ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ ଆଗଧାଡ଼ିରେ କର୍ମଚାରୀ ଓ ପରେ ବୟସ୍କଙ୍କୁ (୫୦ ବର୍ଷରୁ ଅଧିକ),ତା’ପରେ ଗମ୍ଭୀର ରୋଗରୁ ଆକ୍ରାନ୍ତ (୫୦ ବର୍ଷରୁ କମ୍)ଙ୍କୁ ଟିକା ଦିଆଯିବ । ଏହାକୁ ନେଇ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଜାନୁଆରୀ ୨ ତାରିଖରେ ଟୀକାକରଣ ଲାଗି ଦିନିକିଆ ଡ୍ରାଏ ରନ୍ କରାଯିବ ।