ବଜେଟ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଏପ୍ରିଲ ପହିଲାରୁ ଲାଗୁ ହେବ UPS

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ସଂସଦରେ ଦେଶର ସାଧାରଣ ବଜେଟ ଆଗତ ହେବ । ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଫିସିଆଲ ଭାବେ ୟୁନିଫାଏଡ ପେନସନ ସ୍କିମ ବା UPSକୁ ନେଇ ନୋଟିଫିକେସନ ଜାରି କରାଯାଇଛି । ଏଥିସହିତ ଏଥର ନୂଆ ପେନସନ ସ୍କିମକୁ କେଉଁ ତାରିଖରେ ଲାଗୁ କରାଯିବ ତାହା ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୧ରେ UPS ଲାଗୁ ହେବ ବୋଲି କୁହାଯାଇଛି ।

UPSକୁ ନେଇ ସରକାରଙ୍କ ତରଫରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଛି । ପୁରୁଣା ପେନସନ ସ୍କିମ (OPS) ଓ ଜାତୀୟ ପେନସନ ସ୍କିମ ((NPS) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ UPSକୁ ଲଞ୍ଚ କରିଥିଲେ । ସରକାରୀ କମର୍ଚାରୀଙ୍କୁ ଅବସର ପରେ ଗ୍ୟାରେଣ୍ଟେଡ ପେନସନ ପ୍ରଦାନ କରିଥାଏ UPS । ଏହା କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ପିଟିଆଇ ମୁତାବକ, NPS ଅଧୀନରେ କଭର ହେବାକୁ ଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି UPSକୁ ଚଳିତ ବର୍ଷ ଜାନୁଆରୀ ୨୫ରେ ନୋଟିଫାଏ କରାଯାଇଛି ।

ଯେଉଁ କର୍ମଚାରୀମାନେ NPS ଅଧୀନରେ ଆସିଥାନ୍ତି ଓ ଏହା ଅଧୀନରେ UPSର ଅପ୍ସନକୁ ବାଛିଥାନ୍ତି, ସେହି ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ UPS ଲାଗୁ ହୋଇଥାଏ । ଗେଜେଟ ନୋଟିଫିକେସନ ମୁତାବକ, କେନ୍ଦ୍ର କର୍ମଚାରୀ NPS ଅଧୀନରେ UPS ବିକଳ୍ପ ନେବାକୁ ବାଛି ପାରନ୍ତି ବା UPS ବିକଳ୍ପ ବିନା NPS ଜାରି ରଖିପାରନ୍ତି । UPS ଚୟନ କରୁଥିବା ଲୋକମାନେ ଅନ୍ୟ ପଲିସୀ ରିହାତି, ପଲିସୀ ଚେଞ୍ଜ, ଫାଇନାନ୍ସିଆଲ ବେନିଫିଟର ହକଦାର ହେବେ ନାହିଁ ବୋଲି ସରକାରୀ ନୋଟିଫିକେସନରେ ସ୍ପଷ୍ଟ କରାଯାଇଛି ।