ପାର୍କ ନିର୍ମାଣରେ ମହାଦୁର୍ନୀତି: ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି କେବଳ ଫଳକରେ ସୀମିତ ନିର୍ମାଣ କାର୍ଯ୍ୟ
1 min read
ବାରିପଦା: ପାର୍କ ନିର୍ମାଣରେ ମହାଦୁର୍ନୀତି । ପାର୍କ ନିର୍ମାଣ ଅନୁଦାନ ଗାର୍ଡ ୱାଲ ଓ ନଦୀ ଘାଟ ନିର୍ମାଣରେ ଖର୍ଚ୍ଚ । ୪ ବର୍ଷରେ ଖର୍ଚ୍ଚ ସରିଲାଣି ୧୧ ଲକ୍ଷରୁ ଅଧିକ ଟଙ୍କା । ଫଳକରେ ସୀମିତ ପାର୍କ ନିର୍ମାଣ । ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ କାଞ୍ଚିଖାଲ ନିକଟ ପାର୍କ ନିର୍ମାଣର ଦୁର୍ନୀତି । ୨୦୨୨-୨୩ ବର୍ଷରେ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ପାଣ୍ଠିରୁ ମିଳିଥିଲା ୭ ଲକ୍ଷ ଟଙ୍କା ସେହି ଟଙ୍କାରେ ଏପର୍ଯ୍ୟନ୍ତ ଏକ ଛୋଟ ଗାଡୱାଲ ନିର୍ମାଣ କରାଯାଇଛି । ୨୦୨୩-୨୪ରେ ରୁରାଲ ପାର୍କ ନାଁରେ ପୁଣିଥରେ ୪ ଲକ୍ଷ ୨୩ ହଜାର ୫୮୩ ଟଙ୍କା ଆର୍ଥିକ ଅନୁଦାନ ମିଳିଲା । ସେଥିରେ ଛୋଟ ନଦୀ ଘାଟ ନିର୍ମାଣ କରି ଦାୟୀତ୍ଵ ସାରିଦିଆଯାଇଛି । ଗତ ୪ ବର୍ଷ ମଧ୍ୟରେ ରୁରାଲ ପାର୍କ ନିର୍ମାଣ ନାଁରେ ୧୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବା ବେଳେ ପାର୍କ ନିର୍ମାଣର ନାଁ ଗନ୍ଧ ନାହିଁ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକାରେ ପାର୍କ ଅନୁଦାନ ରାଶିକୁ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ବ୍ଲକ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ପାର୍କ ନିର୍ମାଣ କାର୍ଯ୍ୟ ଗ୍ରାମପଞ୍ଚାୟତ ଦ୍ଵାରା ନିର୍ମାଣ କରାଯିବା କଥା । ପ୍ରକୃତ କଥା ହେଲା ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ସେପଟେ ଦୀର୍ଘ ୫ ବର୍ଷ ଧରି କାମ ଚାଲୁରହିଥିବା କଥା କହି କ୍ୟାମେରା ପଛରେ ସଫେଇ ଦେଇଛନ୍ତି ଶାମାଖୁଣ୍ଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଅପରପକ୍ଷରେ ଗଣମାଧ୍ୟମର ପ୍ରଶ୍ନର ସିଧା ଉତ୍ତର ନରଖି ବାଁରେଇ ଦେଇଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ କାଞ୍ଚିଖାଲ ନିକଟରେ ନିର୍ମାଣ ହେବାକୁ ଥିବା ପାର୍କ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।