EPFOରେ ହେବ ବଡ଼ ପରିବର୍ତ୍ତନ: ଏଣିକି ପିଏଫ ଅର୍ଥ ଅଧିକ ସୁରକ୍ଷିତ ରହିବ
1 min read
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସରକାର ଏବେ ଇପିଏଫଓ ପାଇଁ ’ସୁଧ ସ୍ଥିରୀକରଣ ରିଜର୍ଭ ଫଣ୍ଡ)’ ପ୍ରସ୍ତୁତ କରିବା ପାଇଁ ବିଚାର କରୁଛନ୍ତି । ଏହାର ଅର୍ଥ ହେଉଛି ଇପିଏଫଓର ୬.୫ କୋଟିରୁଅଧିକ ସଦସ୍ୟଙ୍କୁ ସେମାନଙ୍କର ପ୍ରୋଭିଡେଣ୍ଡ ଫଣ୍ଡ (PF) ଯୋଗଦାନ ଉପରେ ସ୍ଥିର ସୁଧ ଦର ଦେବାକୁ ପଡ଼ିବ । ଏକ ରିପୋର୍ଟ ମୁତାବକ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏ ସମ୍ବନ୍ଧରେ ଏକ ଅନ୍ତରୀଣ ଅଧ୍ୟୟନ ଆରମ୍ଭ କରିଛି । ଏହି ଅଧ୍ୟୟନ ଆଧାରରେ, ଇପିଏଫଓ ସଦସ୍ୟଙ୍କୁ ସେମାନଙ୍କ ନିବେଶ ଉପରେ ମିଳୁଥିବା ରିଟର୍ଣ୍ଣ ଅପେକ୍ଷା ଅଲଗା ଏକ ସ୍ଥିର ସୁଧ ହାର ମିଳିବ । ବଜାର ଉଚ୍ଚ-ନୀଚ ହେଲେ ବି ସଦସ୍ୟଙ୍କୁ ତାହା ମିଳିବା ଜାରି ରହିବ । ବର୍ତ୍ତମାନ ଏହି ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ରହିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଅନ୍ତିମ ରୂପ ଦିଆଯାଇପାରେ ।
ଯଦି ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ (CBT) ତରଫରୁ ଏହି ଯୋଜନାକୁ ମଞ୍ଜୁରୀ ମିଳିଯାଏ, ତେବେ ଏହାକୁ ୨୦୨୬-୨୭ ଠାରୁ ଲାଗୁ କରାଯାଇପାରେ । ଇପିଏଫଓର ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷତା ଶ୍ରମ ଓ ରୋଜଗାର ମନ୍ତ୍ରୀ କରିଥାନ୍ତି । ଇପିଏଫଓର ସୁଧ ହାର ବର୍ଷକୁ ବର୍ଷ ବଦଳିଥାଏ । ବିତ୍ତୀୟ ବର୍ଷ ୨୦୨୩-୨୪ ପାଇଁ ଇପିଏଫଓ ସଦସ୍ୟଙ୍କ ପାଇଁ ସୁଧ ହାର ୮.୨୫ ପ୍ରତିଶତ ସ୍ଥିର କରିଥିଲା । ଆସନ୍ତା ୨୮ରେ ହେବାକୁ ଥିବା CBT ବୈଠକରେ ଏହି ଦରକୁ ୨୦୨୪-୨୫ ପାଇଁ ସ୍ଥିର ରଖାଯାଇପାରେ ।
ମିଟିଂର ରିପୋର୍ଟ ମୁତାବକ, ଇପିଏଫଓର ସୁଧ ହାର ୧୯୫୨-୫୩ରେ ୩ ପ୍ରତିଶତରୁ ଆରମ୍ଭ ହୋଇ ୧୯୮୯-୯୦ରେ ୧୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହି ଦର ୨୦୦୦-୦୧ ଯାଏ ଜାରି ରହିଥିଲା । ମାତ୍ର ୨୦୦୧-୦୨ରେ ହ୍ରାସ ପାଇଁ ୯.୫ ପ୍ରତିଶତ ହୋଇଥିଲା । ୨୦୨୧-୨୨ରେ ଏହା ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ତା’ପରେ ସାମାନ୍ୟ ବୃଦ୍ଧି ପାଇ ୮.୨୫ ପ୍ରତିଶତ କରାଯାଇଥିଲା । ପିଏଫ ଆକାଉଣ୍ଟରେ ଜମା ଅର୍ଥ ଏଟିଏମରୁ ଉଠାଣ କରିହେବ, ସେଥିପାଇଁ ଏକ ଅଲଗା ଏଟିଏମ ଦିଆଯିବ ବୋଲି ଗତ ମାସ ପ୍ରାରମ୍ଭରେ କୁହାଯାଇଥିଲା ।